ଦୋହା ଡାଏମଣ୍ଡ୍ ଲିଗ୍‌ରେ ଚାମ୍ପିଅନରୁ ନିରାଶ ନୀରଜ; ୮୮.୩୬ ମି. ଜାଭେଲିନ ଫିଙ୍ଗି ରହିଲେ ଦ୍ବିତୀୟରେ

Published By : Prameya-News7 Bureau | May 11, 2024 IST

ଦୋହା, ୧୧ ।୫: ଅଲିମ୍ପିକ୍ସ ବିଶ୍ୱ ଚାମ୍ପିଅନ୍ ଜାଭେଲିନ ଖେଳାଳି ନୀରଜ ଚୋପ୍ରା ସିଜନର ପ୍ରଥମ ପ୍ରତିଯୋଗିତା ଦୋହା ଡାଏମଣ୍ଡ   ଲିଗ୍‌ରେ ରୌପ୍ୟ ପଦକ ପାଇଛନ୍ତି । ଚେକ୍‌ ଗଣରାଜ୍ୟର ଜାକୁବ ଭଦଲେଚ ୮୮.୩୮ ମିଟର  ଫିଙ୍ଗି ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ।  ନୀରଜ ଅନ୍ତିମ ତଥା ଷଷ୍ଠ ପ୍ରୟାସରେ ୮୮.୩୬  ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ ।  ସେ ମାତ୍ର ୦.୦୨ ମିଟରରୁ ଟାଇଟଲ ହାସଲରୁ ବଞ୍ଚିତ ହୋଇଛନ୍ତି ନୀରଜ । ଗ୍ରେନେଡାର ପିଟର୍ସ ଆଣ୍ଡରସନ ଅନ୍ତିମ ପ୍ରୟାସରେ ୮୬.୬୨ ମିଟର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ପାଇଛନ୍ତି । ଓଡ଼ିଶାର କିଶୋର ଜେନାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ସେ  ୭୬.୩୧ ମିଟର ଫିଙ୍ଗି ନବମ ସ୍ଥାନରେ ରହିଥିଲେ । 

ସିଜନର ପ୍ରଥମ ପ୍ରତିଯୋଗିତାରେ ନୀରଜ ଦୋହାରେ ୯୦ ମିଟର ମାର୍କ ଅତିକ୍ରମ କରିବେ  ବୋଲି ଆଶା କରାଯାଉଥିଲା । ହେଲେ ଏଥିରେ ସଫଳ ହୋଇନାହାନ୍ତି । ଫାଉଲରୁ ସେ ଅଭିଯାନ ଆରମ୍ଭ  କରିଥିଲେ । ଦ୍ୱିତୀୟ ପ୍ରୟାସରେ ୮୪.୯୩  ମିଟର, ତୃତୀୟରେ ୮୬.୨୪ ମିଟର, ଚତୁର୍ଥରେ  ୮୬.୧୮ ମିଟର, ପଞ୍ଚମରେ ୮୨.୨୮  ମିଟର ଏବଂ ଅନ୍ତିମ ପ୍ରୟାସରେ  ୮୮.୩୬ ମିଟର ଫିଙ୍ଗିଥିଲେ । ମାତ୍ର କିଶୋର ଜେନା ପଦାର୍ପଣ ଯାତ୍ରାରେ ୭୫.୭୨ ମିଟରରୁ ଆରମ୍ଭ  ହୋଇଥିଲା । ଦ୍ୱିତୀୟ ପ୍ରୟାସ ଫାଉଲ ଓ  ତୃତୀୟରେ ୭୬.୩୧ ମିଟର ଫିଙ୍ଗିବା ପରେ  ତାଙ୍କର ଅଭିଯାନ ଶେଷ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.