ଆହା​‌ର ବଦଳରେ ପାହାର, ମହିଳାଙ୍କ ମାଡରେ ମା’ କୁକୁର ସହ ଗର୍ଭରେ ଥିବା ଛୁଆ ବି ମଲେ

Published By : Prameya-News7 Bureau | April 29, 2020 IST

ଭୁବନେଶ୍ୱର ୨୯।୦୪: ତାର ଦୋଷ ଥିଲା ଏତିକି, ସେ ଗର୍ଭବତୀ ସହ ଭୋକିଲା ଥିଲା । ଖାଦ୍ୟ ଅନ୍ୱେଷଣରେ ଜଣଙ୍କ ଘର ଦୁଆରମୁହଁରେ ଭୁକୁଥିଲା । ହେଲେ ଆଶା ତା’ର ଆଶାରେ ମଉଳିଗଲା । ଘର ଭିତରୁ ଯମ ସାଜି ମାଡ଼ି ଆସିଲେ ମହିଳା। ଖାଇବାକୁ ଦେବା ବଦଳରେ ଏକ ଲୁହାଛଡ଼ରେ ନିର୍ମମ ଭାବେ ପିଟି ଚାଲିଲେ । ଶେଷରେ ତଳେ ପଡ଼ି ଛଟପଟ ହେବା ପରେ ମହିଳାଙ୍କ ରାଗ ଶାନ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ଗର୍ଭିଣୀ କୁକୁରକୁ ଲୋକେ ଉଦ୍ଧାର କରି ପଶୁ ଡାକ୍ତରଖାନାରେ ଭର୍ତ୍ତି କଲେ । ଡାକ୍ତରଙ୍କ ଚେଷ୍ଟା ସତ୍ୱେ କୁକୁରଟିର ଜୀବନ ବଞ୍ଚାଇ ପାରିନଥିଲେ। ଗର୍ଭରେ ଥିବା ଛୁଆବିମିଗଲା । ଆଉ ଗୋଟିଏ ଛୁଆ ବଞ୍ଚିଗଲା । ଏଭଳି ଖବର ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଘଟିଛି ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ଲେନ୍‌-୧୦ରେ ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୧ ତାରିଖରେ ଗର୍ଭିଣୀ କୁକୁରଟି ଶ୍ରୀରାମନଗର ଲେନ୍‌-୧୦ ସ୍ଥିତ ଜଣେ ମହିଳାଙ୍କ ଘର ସମ୍ମୁଖରେ ଛିଡ଼ା ହୋଇଥିଲା । ଏଥିରେ ବିରକ୍ତ ହୋଇ ମହିଳା ଜଣଙ୍କ ଘରୁ ବାହାରିଆସି ଏକ ଠେଙ୍ଗାରେ କୁକୁରଟିକୁ ଅତି ନିଷ୍ଠୁର ଭାବେ ପିଟି ଚାଲିଲେ । ଫଳରେ କୁକୁରଟି ସେହିଠାରେ ପଡ଼ି ଛଟପଟ ହେବା ସହ ଚିତ୍କାର କରୁଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପ୍ରାଣୀ ସୁରକ୍ଷା ସଂଗଠନକୁ ଫୋନ୍‌ କରି ଜଣାଇଥିଲେ । ସଂଗଠନର କର୍ମକର୍ତ୍ତା ପହଞ୍ଚି କୁକୁରଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ କୁକୁରର ଅପରେସନ୍‌ କରାଯାଇ ତା’ ପେଟରୁ ଦୁଇଟି ଛୁଆ ବାହାର କରା ଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ମା’ କୁକୁର ଓ ଗୋଟିଏ ଛୁଆ କୁକୁରର ମୃତ୍ୟୁ ଘଟିଥିଲା । ଅନ୍ୟ ଗୋଟିଏ ଛୁଆକୁ ଡାକ୍ତରମାନେ ଅକ୍ଳାନ୍ତ ପରିଶ୍ରମ କରି ବଞ୍ଚାଇ ପାରିଛନ୍ତି।

ପ୍ରାଣୀ ସୁରକ୍ଷା ସଂଗଠନ ପକ୍ଷରୁ ଆଜି ସଂପୃକ୍ତ ମହିଳାଙ୍କ ବିରୋଧରେ ଶ୍ରୀଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରା ଯାଇଥିଲା । ପୁଲିସ କେସ୍‌ ନଂ-୬୧/୨୦ରେ ଏକ ମାମଲା ରୁଜୁ କରିଛି । ଦଫା ୪୨୯/୨୬୮/ଆଇପିସି ଲଗାଇ ତଦନ୍ତ ଆରମ୍ଭ କରିଛି । ଏଥିସହ ପୁଲିସ ମୃତ ମା’ ଓ ଛୁଆ କୁକୁରର ଶବ ଜବତ କରି ବ୍ୟବଚ୍ଛେଦ କରାଇଥିଲା । ପରେ ୨ କୁକୁରଙ୍କୁ ପୋତି ଦିଆ ଯାଇଥିଲା ।

କରୋନା ପାଇଁ ଲକ୍‌ ଡାଉନ୍‌ରେ ବୁଲା ଗୋରୁଗାଈ ଓ କୁକୁର ଖାଇବାକୁ ପାଉ ନାହାନ୍ତି । ଏହି କ୍ଷୁଧାର୍ଥ ପଶୁଙ୍କ ମୁହଁରେ ପଶୁପ୍ରେମୀମାନେ ବୁଲି ବୁଲି ଖାଦ୍ୟ ଦେଉଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ମଧ୍ୟ ଏହି ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଉଛି । ତଥାପି କିଛି ବୁଲା କୁକୁର ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । ସେମାନଙ୍କ ପ୍ରତି ଦୟା ମନୋଭାବ ନ ଦେଖାଇ ନିଷ୍ଠୁର ସାଜି ଏଭଳି ପିଟି ମାରିବା ଘଟଣାକୁ ସମସ୍ତେ ଘୋର ନିନ୍ଦା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.