କୁକୁର ମାଂସରେ ତିଆରି ହେଉଥିଲା ବିରିୟାନୀ ! ଜାଣନ୍ତୁ ସତ କ'ଣ

Published By : Prameya-News7 Bureau | June 11, 2019 IST

ବାଙ୍ଗାଲୁରୁ ୧୧/୬ : କର୍ଣ୍ଣାଟକରେ ଏକ ଅପପ୍ରଚାର ଯୋଗୁଁ ଲୋକେ ବିରିୟାନୀ ଖାଇବା ଛାଡିଦେଇଛନ୍ତି । ଉଡୁ଼ପି ଏବଂ ଶିବାମୋଗା ସହରର ହୋଟେଲମାନଙ୍କରେ ମିଳୁଥିବା ଚିକେନ ବିରିୟାନୀ ଓ ମଟନ ବିରିୟାନୀ କୁକୁର ମାଂସରେ ତିଆରି ହେଉଥିବା ପ୍ରଚାର ହୋଇଥିଲା । କିନ୍ତୁ ହୋଟେଲ କର୍ତ୍ତୃପକ୍ଷ ଓ ପ୍ରଶାସନ ଏହି ଅଭିଯୋଗକୁ ଖାରଜ କରିଛନ୍ତି ।

କରବାର ଅନ୍ତର୍ଗତ ମୁଣ୍ଡଳୀ ଗାଁର ୯୦ ବର୍ଷ ବୟସ୍କା ବୃଦ୍ଧାଙ୍କ ମୃତ୍ୟୁ ପରେ ଏହି ଅପପ୍ରଚାର ହୋଇଥିଲା । କାରଣ ଯେଉଁଦିନ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା ତାର ୫ଦିନ ପୂର୍ବରୁ ତାଙ୍କୁ କୁକୁର କାମୁଡିଥିଲା । କୁକୁର କାମୁଡିଥିବା ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଗାଁଲୋକେ ପ୍ରଶାସନ ନିକଟରେ କୁକୁରକୁ ନେଇ ଅଭିଯୋଗ କରିଥିଲେ । 

{"id":122063}

କିନ୍ତୁ କୁକୁରକୁ ମାରିବା ମନା ଥିବାରୁ କୋଏମ୍ବାଟୁରରୁ ଡଗ୍ କ୍ୟାଚର୍ ଡକା ଯାଇଥିଲା । ସେମାନେ ପାଖାପାଖି ୨୨ଟି କୁକୁର ଧରି ମୁଣ୍ଡଳି ଗାଁରେ ଛାଡିବାକୁ ଗଲେ । କିନ୍ତୁ ଗାଁଲୋକେ ବିରୋଧ କରିବାରୁ କୁକୁରଙ୍କୁ ଉଡୁ଼ପି ଏବଂ ଭଟକଲ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

ଏହାପରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେଲା । କୁକୁରମାନଙ୍କୁ ଟ୍ରକରେ ଭର୍ତ୍ତି କରି ନେଇଯାଉଥିବା ଭିଡିଓ କେହି ଜଣେ ରେକଡିଂ କରି ସୋସିଆଲ ମିଡ଼ିଆରେ ଛାଡି ଦେଇଥିଲେ । ଭିଡିଓ ସହ ଲେଖାଯାଇଥିଲା ଯେ, କୁକୁର ମାଂସରେ ବିରିୟାନୀ ତିଆରି କରିବା ପାଇଁ ଟ୍ରକରେ ଭର୍ତ୍ତି କରି ନିଆଯାଉଛି ।

{"id":122064}

ଏହି ଭିଡିଓ ନିଆଁ ଭଳି ଶିବାମୋଗା ଓ ଉଡୁ଼ପି ସହରରେ ବ୍ୟାପିବାରେ ଲାଗିଲା । ଲୋକେ ହୋଟେଲରେ ମଟନ୍ ଚିକେନ୍ ଖାଇବା ବନ୍ଦ କରିଦେଲେ । ଅନେକ ଲୋକାଲ ସାଇଟ ଏବଂ ଖବରକାଗଜରେ ମଧ୍ୟ ବିନା ଯାଞ୍ଚରେ ଏହିସବୁ ଖବର ପ୍ରକାଶ ପାଇଲା । ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା ।

ମାଂସ ବିକ୍ରି କରୁଥିବା ଦୋକାନୀଙ୍କ କହିବାନୁଯାୟୀ, ଜୁନ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ମାଛ ଧରିବା ରଦ୍ଦ କରିଦିଆଯାଇଥିବାରୁ ଚିକେନ ଓ ମଟନ ବିକ୍ରି ଭଲ ହୋଇଥାଏ । କିନ୍ତୁ ଭୋ ଭୋ ବିରିୟାନୀର ଅପପ୍ରଚାର ଯୋଗୁଁ ବେପାର ମଧ୍ୟ ମାନ୍ଦା ଚାଲିଛି ।

{"id":122065}

ଫୁଡ୍ ଡିପାର୍ଟମେଣ୍ଟ ଅଧିକାରୀ ଲୋକଙ୍କୁ ଅପିଲ କରିଛନ୍ତି ଯେ, କୌଣସି ଅପପ୍ରଚାର ଉପରେ ଧ୍ୟାନ ନଦିଅନ୍ତୁ । ଚିକେନ ଓ ମଟନ ବିରିୟାନୀରେ କୁକୁର ମାଂସ ବ୍ୟବହାର ହେଉନାହିଁ ବୋଲି ଅଧିକାରୀ କହିଥିଲେ । ଭଟକଲ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଭିଡିଓ ପୋଷ୍ଟ କରି ଅପପ୍ରଚାର କରିଥିବା ଅଭିଯୁକ୍ତ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ । ଏହି ଭିଡିଓକୁ ଖୁବ ଶୀଘ୍ର ସୋସିଆଲ ମିଡ଼ିଆରୁ ହଟାଇ ଦିଆଯିବ ବୋଲି କହିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.