ଅପରେସନ ଥିଏଟରରୁ ବାହାରି ପାରିଲାନି ଶିଶୁ : ମାରିଦେଲା କୁକୁର

Published By : Prameya-News7 Bureau | January 15, 2020 IST

ଫାରୁଖାବାଦ ୧୫/୧: ଉତ୍ତରପ୍ରଦେଶର ଫାରୁଖାବାଦ ଜିଲ୍ଲାରେ ଏକ ଘରୋଇ ହସ୍ପିଟାଲର ଓଟି (ଅପରେସନ ଥିଏଟର)ରେ ପଶି ଗୋଟିଏ କୁକୁର ଏକ ନବଜାତକକୁ ଝୁଣି ମାରିଦେବା ଘଟଣା ଆଲୋଡନ ସୃଷ୍ଟି କରିଛି । ଅଭିଯୋଗ ପରେ ଜିଲ୍ଲା ମାଜିଷ୍ଟ୍ରେଟ ମାନବେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶରେ ଉକ୍ତ ହସ୍ପିଟାଲକୁ ସିଲ୍‌ କରିଦିଆଯାଇଛି । ଗତ ସୋମବାର ଏହି ଅଭାବନୀୟ ଘଟଣା ଘଟିଛି । ଉକ୍ତ ହସ୍ପିଟାଲ ବିନା ସ୍ୱୀକୃତି ଓ ପଞ୍ଜୀକରଣରେ ଚାଲିଥିବା ଅଭିଯୋଗ ମଧ୍ୟ ହୋଇଛି ।

ସୂଚନା ମୁତାବକ ସଦର ଥାନାରେ କରାଯାଇଥିବା ଅଭିଯୋଗ ଅନୁସାରେ ନବଜାତ ଶିଶୁର ପିତା ରବିକୁମାର ତାଙ୍କ ପତ୍ନୀ କାଞ୍ଚନଙ୍କୁ ପ୍ରସବ ପାଇଁ ସୋମବାର ଏହି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେହିଦିନ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । କାଞ୍ଚନଙ୍କୁ ୱାର୍ଡକୁ ସିଫ୍ଟ କରାଯାଇଥିଲା ବେଳେ ପରେ ଶିଶୁପୁତ୍ରକୁ ସିଫ୍ଟ କରାଯିବ ବୋଲି ଡାକ୍ତର ଓ ନର୍ସମାନେ କହିଥିଲେ ।

ଓଟିରେ ଶିଶୁପୁତ୍ର ରହିଥିଲା । ପ୍ରାୟ ୧ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ଘଟିଥିବା ନେଇ ରବିକୁମାରଙ୍କୁ ସୂଚନା ଦିଆଯାଇଥିଲା । ପରିବାର ଲୋକେ ଓଟିକୁ ଯିବା ସମୟରେ ସେଠାରେ ନର୍ସମାନେ ଏକ କୁକୁରକୁ ଘଉଡାଉଥିବା ଦେଖିଥିଲେ । ଓଟି ଭିତରେ ଚଟାଣରେ ଶିଶୁପୁତ୍ରଟି ପଡିଥିଲା ବେଳେ ତାର ବେକ ଓ ଶରୀରର ବିଭିନ୍ନ ସ୍ଥାନରେ କାମୁଡା ଦାଗ ଓ ଖଣ୍ଡିଆ ଚିହ୍ନ ରହିଥିଲା । ଫଳରେ ପରିବାର ଲୋକେ ଶିଶୁଟିକୁ କୁକୁର କାମୁଡି ମାରିଦେଇଥିବା ବିଶ୍ୱାସ କରିଥିଲେ । ପୁଲିସ ମୃତ ଶିଶୁଟିକୁ ଜବତ କରିବା ସହ ପ୍ରସୂତି ବିଭାଗର ଡାକ୍ତର ମୋହିତ ଗୁପ୍ତା ଓ କିଛି ନର୍ସଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ହସ୍ପିଟାଲର ମାଲିକ ବିଜୟ ପଟେଲ କହିଛନ୍ତି ସେ ଏ ବିଷୟରେ କିଛି ଜାଣନ୍ତି ନାହିଁ । ମୃତ ଶିଶୁପୁତ୍ର ଜନ୍ମ ହୋଇଥିବା ତାଙ୍କୁ କୁହାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.