ଭୟଙ୍କର ହେଉଛନ୍ତି ବିହାର କୁକୁର; ଦୈନିକ ୬୦୦ ଲୋକଙ୍କୁ କାମୁଡ଼ୁଛନ୍ତି, ରାଜଧାନୀର ସ୍ଥିତି ସାଂଘାତିକ୍

Published By : Prameya-News7 Bureau | February 25, 2024 IST

ପାଟନା: ଭୟଙ୍କର ହେଉଛନ୍ତି ବିହାରୀ କୁକୁର। ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡ଼ୁଛନ୍ତି। ମାତ୍ର ବର୍ଷକ ମଧ୍ୟରେ ବିହାରରେ କୁକୁରା କାମୁଡ଼ା ମାମଲା ୨୦ ଗୁଣ ଅଧିକ ବଢ଼ିଯାଇଛି। ବିହାର ଇକୋନୋମିକ୍ ସର୍ଭେ(୨୦୨୩-୨୪) ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ୨୦୨୨-୨୩ରେ  ୨,୦୭,୧୮୧ ଲୋକଙ୍କୁ କୁକୁର କାମୁଡ଼ିଛି। ହେଲେ ୨୦୨୧-୨୨ରେ ଏହି ସଂଖ୍ୟା ମାତ୍ର ୯,୮୦୯ ଥିଲା।

ସର୍ଭେରେ କୁକୁର କାମୁଡ଼ିବାକୁ ସର୍ବାଧିକ ପ୍ରଚଳିତ ରୋଗ ବୋଲି ଦର୍ଶାଯାଇଛି। ରିପୋର୍ଟ ଅନୁସାରେ, ବିହାରରେ ଦୈନିକ ପ୍ରାୟ  ହାରାହାରି ୬୦୦ ଲୋକଙ୍କୁ କୁକୁର କାମୁଡ଼ୁଛି। ସବୁଠାରୁ ବଡ଼ କଥା ହେଲା, ବିହାର ଗ୍ରାମାଞ୍ଚଳ ଅପେକ୍ଷା ରାଜଧାନୀ ପାଟନାରେ କୁକୁର କାମୁଡ଼ା ମାମଲା ସର୍ବାଧିକ।

୨୦୨୨-୨୩ରେ ପାଟନାରେ ୨୨,୫୯୯ କୁକୁର କାମୁଡ଼ା ମାମଲା ଚିହ୍ନଟ ହୋଇଛି। ଏନେଇ ପାଟନା ମ୍ୟୁନିସିପାଲ କମିଶନର ଅନିମେଶ କୁମାର ପରାଶର କହିଛନ୍ତି ଯେ ଆଗକୁ ଯେମିତି ଏଭଳି ଘଟଣାରେ ସୁଧାର ଆସିବ ସେ ଦିଗରେ କାର୍ଯ୍ୟ କରାଯିବ।  

ପଢ଼ନ୍ତୁ-ବାଣ କାରଖାନା​‌ରେ ଭୟଙ୍କର ବିସ୍ଫୋରଣ, ଚାରି ଜଣକ ମୃତ୍ୟୁ

ତେବେ କୁକୁର କାମୁଡ଼ାରେ ରାବିସ୍ ରୋଗ କେତେ ହୋଇଛି ସେ ନେଇ ରିପୋର୍ଟରେ ତଥ୍ୟ ରହିବା ଆବଶ୍ୟକ ବୋଲି ଦାବି ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ମଣିଷ ଦେହରେ ରାବିସ ଭୂତାଣୁ ପ୍ରବେଶ କରିବାର ପ୍ରାୟ ୯୯ ପ୍ରତିଶତ ମାମଲା କୁକୁର କାମୁଡ଼ିବା ଦ୍ୱାରା ହୋଇଥାଏ। ତେବେ ରାବିସ୍‌ର ବ୍ୟାପିବା ପ୍ରକ୍ରିୟା ସାଧାରଣତଃ ୨-୩ରୁ ମାସ ମଧ୍ୟରେ ହୋଇଥାଏ। ହେଲେ ବେଳେ ବେଳେ ଏହା ବର୍ଷେ କିମ୍ବା ସପ୍ତାହ ଭିତରେ ବ୍ୟାପିଥାଏ। ଏହା ଭୂତାଣୁର ପ୍ରବେଶ ଓ କେଉଁ ସ୍ଥାନରେ ଭୂତାଣୁ ରହିଛି ତା ଉପରେ ନିର୍ଭର କରେ।  

ରାଜ୍ୟରେ କୁକୁର କାମୁଡ଼ିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ହେଲେ ମଣିଷ ଓ ପ୍ରାଣୀ ମଧ୍ୟରେ ହେଉଥିବା ଦୈନିକ ଲଢ଼େଇକୁ ରୋକିବାକୁ ପଡ଼ିବ ବୋଲି ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ / ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଆଲୋକପର୍ଣ୍ଣା ସେନଗୁପ୍ତା କହିଛନ୍ତି। ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ୨୦୨୩କୁ ଲାଗୁ କରି ଜନ୍ମହାର ହ୍ରାସ କରିବା ଦିଗରେ କାର୍ଯ୍ୟ କରିବା ଦରକାର ବୋଲି ଗୁପ୍ତା କହିଛନ୍ତି।

ସୂଚନା ଥାଉକି ବିହାରରେ କୁକୁର କାମୁଡ଼ିବା ରୋଗ ଏକ ସାଧାରଣ ରୋଗ କୁହାଯାଉଥିବା ବେଳେ ମ୍ୟାଲେରିଆ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ସର୍ଭେ ରିପୋର୍ଟ ଦର୍ଶାଇଛି। ୨୦୨୨-୨୩ରେ ରାଜ୍ୟରେ ୪୫,୫୩୨ ମାମଲା ମ୍ୟାଲେରିଆ ଚିହ୍ନଟ ହୋଇଥିବା ସର୍ଭେ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.