ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଜାତୀୟ ଡାକ୍ତର ଦିବସ ପାଳିତ, ଛାତ୍ରଛାତ୍ରୀମାନେ ସେବା ମନୋଭାବପନ୍ନ ହୁଅନ୍ତୁ: ଆଇଏମ୍‌ଏସ୍ ଡିନ୍‌

Published By : Prameya-News7 Bureau | July 04, 2022 IST

ଭୁବନେଶ୍ୱର, ୪/୦୭: ସମାଜରେ ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଲୋକମାନଙ୍କର ସେବା କରିବା ହିଁ ଡାକ୍ତରମାନଙ୍କର ଧର୍ମ । ତେବେ ଅନେକ କ୍ଷେତ୍ରରେ ଡାକ୍ତରମାନଙ୍କ ଉପରେ ନିର୍ଯାତନା ଏବଂ ଆକ୍ରମଣ ହେଉଥିବାର ଘଟଣା ସାମ୍ନାକୁ ଆସୁଛି । ଏସବୁ ଅଘଟଣକୁ ଏଡାଇବା ପାଇଁ ଡାକ୍ତରମାନେ ସମାଜ ସହ ଜଡିତ ରହିବା ଉଚିତ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ସୋମବାର ଜାତୀୟ ଡାକ୍ତର ଦିବସ ପାଳନ ଅବସରରେ ଡିନ୍ ପ୍ରଫେସର ମିଶ୍ର ବିଶିଷ୍ଟ ଚିକିତ୍ସକ, ରାଜନୈତିକ, ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଦିବସ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ରୂପେ ପାଳନ କରାଯାଏ ବୋଲି ସେ କହିଥିଲେ । ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ରହିଥିବା ଡାକ୍ତର ରାୟ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଏବଂ ମେଡିକାଲ୍ କାଉନ୍‌ସିଲର ଅଫ୍ ଇଣ୍ଡିଆ (ବର୍ତମାନର ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌) ପ୍ରତିଷ୍ଠା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

ଚଳିତ ବର୍ଷର ଜାତୀୟ ଡାକ୍ତର ଦିବସର ଥିମ୍ “ଫ୍ୟାମିଲି ଡକ୍ଟର୍ସ ଅନ୍ ଦ ଫ୍ରନ୍‌ଟ ଲାଇନ୍‌” ସମ୍ପର୍କରେ ବକ୍ତବ୍ୟ ରଖି ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଫେସର ମିଶ୍ର କହିଥିଲେ ଯେ ସେମାନେ ରୋଗୀମାନଙ୍କ ପରିବାର ସହ ଜଡିତ ହେବା ଆବଶ୍ୟକ । ଏହାଦ୍ୱାରା ସେମାନେ ସାମାଜିକ ସ୍ତରରେ ସ୍ୱାସ୍ଥ୍ୟସେବା ସହ ଅଧିକ ଜଡିତ ହୋଇପାରିବେ ବୋଲି ପ୍ରଫେସର ମିଶ୍ର କହିଥିଲେ । ନ୍ୟାସ୍‌ନାଲ୍ ମେଡିକାଲ୍ କମିଶନ ଡ୍ରାଫ୍ଟ ବିଲ୍ ପ୍ରସ୍ତାବ ଅନୁଯାୟୀ ତୃତୀୟ ବର୍ଷର ପ୍ରତ୍ୟେକ ଡାକ୍ତରୀ ଛାତ୍ରଛାତ୍ରୀମାନେ ଗୋଟିଏ ଗ୍ରାମର ୭ ରୁ ୮ ଟି ପରିବାରକୁ ପୌଷ୍ୟ ଭାବେ ଗ୍ରହଣ କରି ସେମାନଙ୍କର ସ୍ୱାସ୍ଥ୍ୟସେବାର ଯତ୍ନ ନେବେ । ଏହାଦ୍ୱାରା ରୋଗୀ ସେବା କ୍ଷେତ୍ରରେ ସେମାନେ ନିଜକୁ ଅଧିକ ଜଡିତ କରିପାରିବେ ବୋଲି ପ୍ରଫେସର ମିଶ୍ର କହିଛନ୍ତି ।

ତେବେ ସମସ୍ତ ଛାତ୍ରଛାତ୍ରୀ ନିଜ ମଧ୍ୟରେ ଭାରତୀୟତାକୁ ବଜାୟ ରଖିବା ସହ ରାଷ୍ଟ୍ରଭାଷା କିମ୍ବା ମାତୃଭାଷାରେ କଥା ହୁଅନ୍ତୁ ବୋଲି ସେ କହିଥିଲେ । ଏହି ଅବସରରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ଭଳି ଡାକ୍ତରୀ ଛାତ୍ରଛାତ୍ରୀମାନେ ସେବା ମନୋଭାବାପନ୍ନ ହୁଅନ୍ତୁ ଏବଂ ନିଜର ଦାୟିତ୍ୱ ନିଷ୍ଠାର ସହ ପାଳନ କରନ୍ତୁ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଭାଗର ପ୍ରଫେସରମାନେ ମଧ୍ୟ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସମସ୍ତ ବିଭାଗର ମୁଖ୍ୟ, ପ୍ରଫେସର, ଫ୍ୟାକଲ୍ଟିସ୍‌, ଡାକ୍ତର ଏବଂ ଡାକ୍ତରୀ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ନାଟକ ମାଧ୍ୟମରେ ଡାକ୍ତରମାନଙ୍କର ସମାଜରେ ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.