scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମର୍ତ୍ତ୍ୟ ମଣ୍ଡଳରେ ଦ୍ୱିତୀୟ ଭଗବାନ, ନିସ୍ୱାର୍ଥପର ଭାବେ ଲୋକଙ୍କୁ ଯୋଗାଉଛନ୍ତି ସେବା

6/06/2023 at 1:10 PM

ଭୁବନେଶ୍ୱର ୦୬/୦୬: କୂଢ କୂଢ ଶବ । ଭୀଷଣ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ଖଣ୍ଡ ବିଖଣ୍ଡିତ ବୀଭତ୍ସ ମୃତଦେହ । କାହାର ମୁଣ୍ଡ ନାହିଁ, ତ କାହାର ହାତ । ତଥାପି ଏସବୁକୁ ଖାତିର ନକରି ଭୁଲିନାହାଁନ୍ତି ନିଜର କର୍ତ୍ତବ୍ୟ । ନିସ୍ୱାର୍ଥପର ଭାବେ ଲୋକଙ୍କୁ ଯୋଗାଇ ଚାଲିଛନ୍ତି ସେବା । ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନିକ ଅଧିକାରୀ ଲାଗି ପଡିଛନ୍ତି ନିଜ ନିଜ କାମରେ । କରୋନା ସମୟରେ ଯେମିତି ପିପିଇ କିଟ୍ ପିନ୍ଧିି ଲୋକଙ୍କୁ ସେବା ଦେଉଥିଲେ । ଏବେ ପୁଣିଥରେ ସେମିତି ଟ୍ରେନ୍ ଟ୍ରାଜେଡି ପରେ ପରିବାର ଲୋକଙ୍କୁ ସେବା ଯୋଗାଉଛନ୍ତି । ଯାହାକି ଅସଲ ମାନବିକତାର ଦେଇଛି ପରିଚୟ । ସାରା ରାଜ୍ୟରେ ଏମାନଙ୍କ ମାନବିକତାକୁ ଦିଆଯାଉଛି ଶତ ସଲାମ ।

ତିନି ଦିନ ଧରି ମୃତଦେହ ରହିବାରୁ ପଚିଗଲାଣି । ଏମ୍ସ୍ ଶବାଗାର ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି । ବିନା ମାସ୍କରେ ଯିବା କଷ୍ଟ । ଏପରି ପରିସ୍ଥିତିରେ ଶବ ଚିହ୍ନଟ ଠାରୁ ଆରମ୍ଭ କରି ବ୍ୟବଚ୍ଛେଦ ଓ ପ୍ୟାକିଂ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ ମାନେ ଲାଗିଛନ୍ତି । ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍ ସେବାରେ ଲାଗିଛନ୍ତି । ପ୍ରବଳ ଗରମ ସତ୍ତ୍ୱେ ଘଣ୍ଟା ଘଣ୍ଟା ଧରି ପିପି କିଟ୍ ପିନ୍ଧି ରହୁଛନ୍ତି । ଆଜି ଏମ୍ଏସ୍ ପରିସରରେ ଜଣେ ମହିଳା ଡାକ୍ତର ପିପିଇ କିଟ୍ ପିନ୍ଧି ଅଣନିଶ୍ୱାସୀ ହୋଇ ପଡ଼ିଥିଲେ । ତଥାବି ସେ ଧୈର୍ଯ୍ୟ ହାରିନଥିଲେ । ପୁଣି କିଛି ସମୟ ବିଶ୍ରାମ ନେବା ପରେ ଉଠି କାର୍ଯ୍ୟରେ ଲାଗିଥିଲେ । ତାଙ୍କର ଏପରି ଅତୁଳନୀୟ ସେବା ପାଇଁ ସାଥୀ କର୍ମଚାରୀ ମାନେ ତାଙ୍କୁ ସାବାସୀ ଦେଇଛନ୍ତି ।

ଆମ୍ବୁଲାନ୍ସ ଡ୍ରାଇଭର ମାନଙ୍କ ଅବଦାନ ମଧ୍ୟ ଅତୁଳନୀୟ । ମୃତଦେହ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି । ପଚା ଦୁର୍ଗନ୍ଧ ସତ୍ତେ୍ୱ ସୁଦୂର ବିହାର, ପଶ୍ଚିମବଙ୍ଗକୁ ମୃତଦେହ ବୋହି ନେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ବାଲେଶ୍ୱରରୁ ଶବ ଭୁବନେଶ୍ୱରରେ ପହଞ୍ଚାଇବା ହେଉ କିମ୍ବା ଏମ୍ଏସ୍‌ରୁ ମୃତକଙ୍କ ଘର । ନିସ୍ୱାର୍ଥପର ଭାବେ ସେବା ଯୋଗାଉଛନ୍ତି ।

ସେହିପରି ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଡେରା ପକାଇ ରହୁଛନ୍ତି । ଶବାଗାରରୁ ହେଲ୍ପ ଡେକ୍ସ ପର୍ଯ୍ୟନ୍ତ ସମସ୍ତ ନିଜ କର୍ତ୍ତବ୍ୟ ଭୁଲି ନାହାନ୍ତି । ବିଏମ୍ସି, ଜିଲ୍ଲା ପ୍ରଶାସନ, ରେଳ କର୍ମଚାରୀ, ପୁଲିସ ମାନେ ଆସୁଥିବା ଲୋକଙ୍କୁ ଶବ ଚିହ୍ନଟ ଠାରୁ ନେବା ପର୍ଯ୍ୟନ୍ତ ସହଯୋଗ ଯୋଗାଇ ଆସୁଛନ୍ତି । ଦୁର୍ଗନ୍ଧ ସତ୍ତେ୍ୱ ବାହାରେ ବସି ରହୁଛନ୍ତି । ସେହିପରି ଗଣମାଧ୍ୟମ କର୍ମଚାରୀ ବାହାରେ ରହି ଟିକିନିଖି ଖବର ପ୍ରସାରଣ କରୁଛନ୍ତି ।

ବାହାର ରାଜ୍ୟରୁ ଆସୁଥିବା ମୃତକଙ୍କ ପରିବାର ଲୋକଙ୍କ ପାଇଁ ସ୍ୱେଚ୍ଛାସେବୀ ମାନେ ଲାଗି ପଡିଛନ୍ତି । ସେମାନଙ୍କୁ ଖାଇବା ପିଇବା ଯୋଗାଇ ଦିଆଯାଉଛି । ଏହା ସହ ବିଶ୍ରାମ କରିବା ପାଇଁ ମଧ୍ୟ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଇଛି । ସେ ରକ୍ତଦାନ ହେଉ କିମ୍ବା ସ୍ୱାସ୍ଥ୍ୟ ସେବା ସବୁ କ୍ଷେତ୍ରରେ ଏହି ଦୁଃଖ ସମୟରେ ଆଗେଇ ଆସିଛନ୍ତି ଓଡ଼ିଶାବାସୀ । ସେମାନଙ୍କ ନିସ୍ୱାର୍ଥପର ସେବା ପାଇଁ ଓଡ଼ିଶା ସବୁଆଡ଼େ ପ୍ରଶଂସା ସାଉଁଟିଛି ।

   Related Posts