ବରଗଡ ୨୮|୮: ଭୁଲ ଇଞ୍ଜେକସନ ଦେବା ଫଳରେ ଜଣେ ରୋଗୀଙ୍କର ମୃତ୍ୟୁ ଯୋଗୁଁ ଇଞ୍ଜେକସନ ଦେଇଥିବା ଡାକ୍ତର ବେକ କାଟି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡରେ ।
ଗରଗଡ ସଦର ଥାନା ଅନ୍ତର୍ଗତ ବନବାସୀପାଲ୍ଲୀ ଗ୍ରାମର ସାହେବ ସାହୁଙ୍କ ପତ୍ନୀ ଲବଙ୍ଗ ସାହୁ ଆଜି ନିଜ ଦାନ୍ତ ଓପାଡିବା ପାଇଁ ବରଗଡ ଖଜୁରୀଟିକ୍ରା ଗଳିରେ ଥିବା ସାହୁ କ୍ଲିନିକକୁ ଆସିଥିଲେ। ସେଠାରେ ଦାନ୍ତ ଡାକ୍ତର ସୁବୋଧ ସାହୁ ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ । ଇଞ୍ଜେକସନ ଦେବା ପରେ ୩୫ବର୍ଷ ବୟସ୍କା ଲବଙ୍ଗ ସାହୁଙ୍କର ମୃତ୍ୟୁ ହୋଇଥିଲା । ଫଳରେ ବନବାସୀପାଲ୍ଲୀ ଗାଁର ଲୋକମାନେ ଆସି କ୍ଲିନିକ୍ ଘେରାଉ କରିଥିଲେ । ଏଥିରେ ଭୟଭୀତ ହୋଇ ଡାକ୍ତର ସୁବୋଧ ସାହୁ କ୍ଲିନିକ୍ ଭିତରେ ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତର ସୁବୋଧଙ୍କୁ ପ୍ରଥମେ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପକ୍ଷରେ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହେଲା ବୋଲି ଦର୍ଶାଇ ସାହେବ ସାହୁ ବରଗଡ ଥାନାରେ ଏକ ମାମଲା ଦାୟର କରିଛନ୍ତି।