ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା; ଏସପିଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ମାଗିଲେ ମାନବାଧିକାର କମିଶନ

Published By : Prameya-News7 Bureau | January 12, 2023 IST

ବଡ଼ବିଲ ୧୨/୦୧: ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି) କେନ୍ଦୁଝର ଏସପିଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ମାଗିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ଏନେଇ ରିପୋର୍ଟ ଦାଖଲ କରିବାକୁ କମିସନ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ମାନବାଧିକାର କମିଶନ ଜଣାଇଛନ୍ତି।

ମାନବାଧିକାର କର୍ମୀ ହିଂମାଶୁ ଶେଖର ନାୟକ ଜାତୀୟ ମାନବାଧିକାର କମିସନରେ ମାମଲା ରୁଜୁକରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣର ରିପୋର୍ଟ ତଲବ କରାଯାଇଛି। ମୃତ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ନିବେଦନ କରିଥିଲେ। ଗତ ଡିସେମ୍ବର ୨୦ରେ ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କର ନିଜର ପୁରୁଷ ବନ୍ଧୁ, ଦିବ୍ୟରଞ୍ଜନ ମାଝୀଙ୍କ ବିରୋଧରେ ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ କିପରି କାର୍ଯ୍ୟାନୁଷ୍ଠାନ ନେଇଥିଲା, ସେ ସଂପର୍କରେ କମିସନଙ୍କୁ ଜଣାଇବାକୁ ହିଂମାଶୁ ଶେଖର ନିବେଦନ କରିଥିଲେ। ଫଳରେ ଆସନ୍ତା ୪ ସପ୍ତାହ ମଧ୍ୟରେ ଏନେଇ ରିପୋର୍ଟ ଦାଖଲ କରିବାକୁ କମିଶନ  ନିର୍ଦ୍ଦେଶ ଦେଇଛନ୍ତି।

ଡାକ୍ତର ଶୁଭଶ୍ରୀ ଏବଂ ଦିବ୍ୟରଂଜନ ବ୍ରହ୍ମପୁରରେ ମେଡିକାଲ କଲେଜରେ ପଢ଼ିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ପରବର୍ତ୍ତୀ ସମୟରେ ଉଭୟ ଯୋଡ଼ା ଅଞ୍ଚଳରେ ଚାକିରି କରିବାରୁ ସମ୍ପର୍କ ନିବିଡ଼ ହୋଇଥିଲା। ଶାରିରୀକ ସଂପର୍କ ରଖିବା ପରେ ଡାକ୍ତର ଦିବ୍ୟରଂଜନ ପ୍ରତାରଣା କରିଥିଲେ ବୋଲି ଶୁଭଶ୍ରୀ ଥାନାରେ ଅଭିଯୋଗ କରିଥିଲେ। ତେବେ, ଡିସେମ୍ବର ୩୧ରେ ଶୁଭଶ୍ରୀ ନିଜର ସହକର୍ମୀଙ୍କ ସହିତ ‘ଜିରୋ ନାଇଟ୍‌’ ସେଲିବ୍ରେସନ କରିଥିଲେ। କିନ୍ତୁ ଜାନୁଆରୀ ୧ରେ ସେ ରହୁଥିବା ଭଡ଼ାଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଶୁଭଶ୍ରୀଙ୍କ ମୃତ୍ୟୁ ମାମଲା ଏବେବି ରହସ୍ୟ ଘେରରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.