ଡାକ୍ତର ଶୁଭଶ୍ରୀ ମୃତ୍ୟୁ ମାମଲା, ପୁରୁଷ ବନ୍ଧୁଙ୍କ ବିରୋଧରେ ଏତଲା ଦେଲେ ବାପା

Published By : Prameya-News7 Bureau | January 20, 2023 IST

ବଡବିଲ୍‌: ଯୋଡ଼ାରେ ବହୁ ଚର୍ଚ୍ଚିତ ମହିଳା ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାର ୨୦ ଦିନ ପରେ ଯୋଡ଼ା ଥାନାରେ ଏତଲା ଦେଲେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର । ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟ ରଞ୍ଜନ ମାଝୀ ତାଙ୍କର କିଛି ସମ୍ପର୍କୀୟ ଏବଂ ଅନ୍ୟ ୩ ଜଣ ସାଥୀ ଡାକ୍ତରଙ୍କ  ବିରୋଧରେ ଆଜି ଏତଲା ଦେଇଥିବା କହିଛନ୍ତି ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର । ଡିବ୍ୟରଞ୍ଜନଙ୍କ ସାଥୀ ଡାକ୍ତର, ଡାକ୍ତର ପଣ୍ଡା, ଡାକ୍ତର ଗୁରୁ, ଡାକ୍ତର ହିମାଂଶୁ ଝାଙ୍କ ନାଁ ଏତଲାରେ ଉଲ୍ଲେଖ ରହିଛି । ତେବେ ପୋଷ୍ଟ ମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟା ଆସିଥିବା ବେଳେ, ଏବେ ଭିସେରା ରିପୋର୍ଟ ଆସିଛି ।

ମଦ୍ୟ ପାନ ସହିତ ନିଦ ବଟିକା ଖାଇଥିବା ଯୋଗୁଁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିବା ଏଥିରୁ ସ୍ପଷ୍ଟ ହୋଇଛି ।  ହେଲେ ଏହା ପଛରେ ଷଡ଼ଯନ୍ତ୍ର ହୋଇଥିବା ଶୁଭଶ୍ରୀଙ୍କ ବାପା ଅଭିଯୋଗ କରି ଯୋଡ଼ା ଥାନାରେ ଆଜି ଏତଲା ଦାୟର କରିଛନ୍ତି ।  ଯୋଡ଼ା ପୋଲିସ୍ ଦିଆଯାଇଥିବା ଏତଲା ପଞ୍ଜିକରଣ କରିଥିବା ଜଣାପଡିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଂଜନ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରେ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା।

ପରବର୍ତ୍ତୀ ସମୟରେ ଉଭୟ ଯୋଡ଼ା ଅଞ୍ଚଳରେ ଚାକିରି କରିବାରୁ ସଂପର୍କ ନିବିଡ଼ ହୋଇଥିଲା। ଶାରିରୀକ ସଂପର୍କ ସ୍ଥାପନ ପରେ ଡାକ୍ତର ଦିବ୍ୟରଂଜନ ପ୍ରତାରଣା କରିଥିବା ନେଇ ଡାକ୍ତର ଶୁଭଶ୍ରୀ ଯୋଡ଼ା ଥାନାରେ ଗତ ଡିସେମ୍ବର ୨୦ ତାରିଖରେ ଅଭିଯୋଗ କରିଥିଲେ । ତେବେ, ଡିସେମ୍ବର ୩୧ ତାରିଖରେ ଶୁଭଶ୍ରୀ ନିଜର ସହକର୍ମୀଙ୍କ ସହିତ‘ଜିରୋ ନାଇଟ୍’ ସେଳିବ୍ରେସନ କରିବା ପରେ ଜାନୁଆରୀ ୧ ତାରିଖରେ ସେ ରହୁଥିବା ଭଡ଼ା ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.