ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

Published By : Prameya-News7 Bureau | January 03, 2023 IST

ବଡବିଲ ୦୩/୦୧: ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲା । ଆସିଲା ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବିଷଜନିତ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ତେବେ ଫରେନସିକ ଲ୍ୟାବ ରିପୋର୍ଟ ପରେ ଜଣାପଡିବ ପ୍ରକୃତ କାରଣ । ଏଥିପାଇଁ ଭୁବନେଶ୍ୱର ଫରେନସିକ ଲ୍ୟାବକୁ ପଠାଯାଇଛି ନମୁନା ।

ସୂଚନା ଥାଉକି, ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ ଚଳାଇଛି ଯୋଡ଼ା ପୋଲିସ୍ । ଶୁଭଶ୍ରୀ ରହୁଥିବା ଘରକୁ ଯାଇ ସେଠାରୁ ତାଙ୍କର ମୋବାଇଲ ଫୋନ, ମେଡ଼ିସିନ୍ ବୋତଲ ସହିତ କିଛି କାଗଜପତ୍ର ଜବତ୍ କରି ଅନୁସନ୍ଧାନ ଜାରି ରଖିଛି ପୋଲିସ । ଶୁଭଶ୍ରୀଙ୍କ ଏଭଳି ମୃତ୍ୟୁ ଘଟିବା ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ ।

ଶୁଭଶ୍ରୀଙ୍କ ଫୋନର କଲ ରେକର୍ଡ ଯାଞ୍ଚ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ କର୍ମଚାରୀଙ୍କୁ ପଚରା ଉଚୁରା ଚଳାଇଛି ପୋଲିସ୍ । କର୍ମଚାରୀ ମାନଙ୍କ କହିବା କଥା ହେଲା, ୩୧ ତାରିଖ ରାତିରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସେମାନେ ୭ ଜଣ ଏକାଠି ମିଶି ଜିରୋ ନାଇଟ ସେଲିବ୍ରସନ୍ କରିଥିଲେ । ନୃତ୍ୟ ଗୀତରେ ଝୁମିଥିଲେ ଶୁଭଶ୍ରୀ । ଏଥିପାଇଁ ଶୁଭଶ୍ରୀ ନିଜେ ସବୁ ଆୟୋଜନ କରିଥିଲେ । ନିଜ ହାତରେ ଚାଉମିନ ଓ ଫ୍ରାଏଡ ରାଇସ ବାନାଇଥିଲେ । କେକ୍ କାଟି ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରିଥିଲେ । ରାତି ଦେଢଟା ପର୍ଯ୍ୟନ୍ତ ସେଲିବ୍ରେସନ ମନାଇବା ପରେ ଶୁଭଶ୍ରୀ ଉପର ମହଲାରେ ଥିବା ନିଜ ରୁମକୁ ଚାଲିଯାଇଥିଲେ । ତେବେ ନୂଆ ବର୍ଷର ନୂଆ ସକାଳ ଦେଖିପାରି ନଥିଲେ ଶୁଭଶ୍ରୀ । ସକାଳ ୭ ଟାରେ ଶୁଭଶ୍ରୀଙ୍କ ପାଇଁ ରୋଷେଇ କରୁଥିବା ମହିଳା କବାଟ ବାଡେଇ ଥିଲେବି ଶୁଭଶ୍ରୀ କବାଟ ଫିଟାଇ ନଥିଲେ । ଏହାପରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଦୁବରାଜ ମହାନ୍ତ ଡାକ୍ତର ମ୍ୟାଡମ୍ ଙ୍କୁ ଫୋନ କରିଥିଲେ ବି ସେ ଫୋନ ଉଠାଇ ନଥିଲେ ।

ବାରମ୍ଵାର କବାଟ ବାଡେଇଲା ପରେବି କିଛି ଉତ୍ତର ନମିଳିବାରୁ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଶେଷରେ ସନ୍ଧ୍ୟା ସମୟରେ ପୋଲିସ୍ କବାଟ ତାଡ଼ି ଭିତରକୁ ପଶିବା ପରେ ବିଛଣା ଉପରେ ସ୍ଥିର ଅବସ୍ଥାରେ ଶୁଭଶ୍ରୀ ଶୋଇ ରହିଥିବା ଦେଖିବାକୁ ମିଳିଥିଲା । ତେବେ ସେତେବେଳକୁ ତାଙ୍କର ପ୍ରାୟ ମୃତ୍ୟୁ ଘଟିସାରିଥିଲା। ତେବେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ମେଡ଼ିକାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.