ପଶୁ ଡାକ୍ତର ବାପା-ପୁଅ ବିଷ ପିଇ କଲେ ଆତ୍ମହତ୍ୟା, ଘରୁ ମିଳିଲା ୩ଟି ସୁଇସାଇଡ୍ ନୋଟ୍

Published By : Prameya-News7 Bureau | February 06, 2021 IST

ଲକ୍ଷ୍ନୌ ୬।୨: ଲକ୍ଷ୍ନୌ ବିଭୁତିଖଣ୍ଡରେ ପଶୁ ଚିକିତ୍ସକ ଗୌରବ ତିଓ୍ବାରୀ ତାଙ୍କ ବାପା ମାଧବ କୃଷ୍ଣ ତିଓ୍ବାରୀଙ୍କ ସହ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କ ମୃତଦେହ ନିଜ ନିଜ ବେଡ୍ ରୁମ୍ ରୁ ଉଦ୍ଧାର ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘରୁ ତିନୋଟି ସୁଇସାଇଡ୍ ନୋଟ୍ ଜବତ ହୋଇଛି । ଯେଉଁ ନୋଟ୍ ଗୁଡିକୁ ଗୌରବ ଲେଖିଛନ୍ତି । ଏହି ନୋଟ୍ ଗୌରବ ତାଙ୍କ ପତ୍ନୀ, ସାନ ଭାଇ ଏବଂ ଭିଣୋଇଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମାଧବକୃଷ୍ଣ ତିଓ୍ବାରୀ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ପଦରୁ ଅବସର ନେଇଥିଲେ । ତାଙ୍କ ବଡ ପୁଅ ଗୌରବ ରାୟବରେଲିରେ ପଶୁ ଚିକିତ୍ସକ ଥିଲେ । ପରିବାର କହିଲେ ମାଧବଙ୍କ ପତ୍ନୀ ସୁଧା, ସାନ ଭାଇ ନିଶିତ ଏବଂ ଗୌରବଙ୍କ ପତ୍ନୀ ସୁସ୍ମିତା ରହୁଥିଲେ । ଶୁକ୍ରବାର ଦିନ ସୁଧା ଜ୍ବାଇଁ ଆଶୀଷ ମିଶ୍ରାଙ୍କ ଘରକୁ ଯାଇଥିଲେ । ସୁସ୍ମିତା ତାଙ୍କ ବାପଘରକୁ ଯାଇଥିଲେ । ଘରେ ଗୌରବ ଏବଂ ମାଧବକୃଷ୍ଣା ଥିଲେ । ରାତି ୧୦ଟା ବେଳେ ଆଶୀଷ ମିଶ୍ରା ଶ୍ବଶୁରଘରେ ପହଞ୍ଚିଥିଲେ । ସେଠାରେ ଶ୍ବଶୁର ଏବଂ ଶାଳକ ବେହୋସ ଅବସ୍ଥାରେ ପଡିଥିବା ମିଳିଥିଲେ । ଆଶୀଷ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଉଭୟଙ୍କୁ ହସ୍ପିଟାଲ ପଠାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ତଦନ୍ତ ବେଳେ ଘରୁ ତିନୋଟି ସୁଇସାଇଡ୍ ନୋଟ୍ ଜବତ ହୋଇଥିଲା । ଏହି ସୁଇସାଇଡ୍ ନୋଟ୍ ରେ ଗୌରବଙ୍କ ହାତଲେଖା ରହିଥିଲା । ପ୍ରତି ଦିନ ହେଉଥିବା କଳହରୁ ବର୍ତ୍ତିବା ପାଇଁ ସେମାନେ ଏଭଳି କରିଥିବା ସୁଇସାଇଡ୍ ନୋଟ୍ ରେ ଲେଖିଥିଲେ । ବାପା-ପୁଅଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଚାଲିଥିବା ପଡୋଶୀମାନେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.