ବେଆଇନ୍‌ ଲିଙ୍ଗ ନିରୂପଣ ଘଟଣା, ଗିରଫ ଡାକ୍ତରଙ୍କ ପୁରୁଣା ରେକର୍ଡକୁ ଖୋଜୁଛି ପୋଲିସ

Published By : Prameya-News7 Bureau | February 10, 2024 IST

କଟକ ୧୦।୦୨ :  ବେଆଇନ ଭାବେ ଲିଙ୍ଗ ନିରୂପଣ କରି ପୂର୍ବରୁ ୨ ଦୁଇ ଥର ଗିରଫ ହୋଇଥିଲେ । ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ଚାକିରୀରୁ ନିଲମ୍ବନ ମଧ୍ୟ କରିଥିଲା । କିନ୍ତୁ ଟଙ୍କା କମେଇବାର ମୋହ ଛାଡି ପାରିନଥିଲେ ଡାକ୍ତର ପୁଣ୍ୟଶ୍ଳୋକ ଦାସ । ପୁନର୍ବାର ଭୃଣହତ୍ୟା ଭଳି ପାପ କର୍ମରେ ଲିପ୍ତଥିବା ଡାକ୍ତର ଦାସ, ଶୁକ୍ରବାର ଧରାପଡିଛନ୍ତି । ଏଥର ତାଙ୍କ ବିରୁଦ୍ଧରେ ପୋଲିସ ଲଗାଇଛି ସଙ୍ଗୀନ ଦଫା ।

କେବଳ ସେ ନୁହଁନ୍ତି ଡାକ୍ତର ଦାସଙ୍କ ପତ୍ନୀ ଏବଂ ୩ ଜଣ ଦଲାଲଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ପୁଲିସ ତାଙ୍କର ପୁରୁଣା ରେକର୍ଡକୁ ମଧ୍ୟ ଖୋଜିବାରେ ଲାଗିଛି । ଠୋସ୍‌ ପ୍ରମାଣ ହାତରେ ଲାଗିଲେ ତାକୁ କୋର୍ଟରେ ପେସ କରିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ତେଣୁ ପଇସା ଖୋର ଡାକ୍ତର ବାବୁ ଜଣକ ଏଥର ଏତେଶୀଘ୍ର ଜେଲ୍‌ରୁ ମୁକୁଳିବେ, ସେଭଳି କାହିଁ ଅନୁଭବ ହେଉନାହିଁ । ଏହାସହ ଆଉ କେଉଁ କେଉଁ ସ୍ଥାନରେ ସେ ଏଭଳି ବେଆଇନ ଭାବେ ଭୃଣହତ୍ୟା କରୁଥିଲେ ।

ବେଆଇନ ଲିଙ୍ଗ ନିରୁପଣ କରିବା ନେଇ ଡାକ୍ତର ପୁଣ୍ୟଶ୍ଳୋକଙ୍କ ନାଁରେ ପୂର୍ବରୁ ଅନେକ ଅଭିଯୋଗ ହୋଇଛି । ଶେଷ ଥର ପାଇଁ ଗତବର୍ଷ ମେ ମାସ ୨୪ ତାରିଖରେ ତାଙ୍କୁ ଗିରଫ କରିଥିଲା ପୁଲିସ । ତା ପୂର୍ବରୁ ମଧ୍ୟ ସେ ଆଉଥରେ ଗିରଫ ହୋଇଥିଲେ । କିନ୍ତୁ ସବୁଥର ପ୍ରମାଣ ଅଭାବରୁ ସେ ଖସି ଯାଆନ୍ତି । ହେଲେ ଏଥର ସମ୍ଭବ ନୁହେଁ । ଯେହେତୁ ତାଙ୍କ ବିରୁଦ୍ଧରେ ଏଥର ଯଥେଷ୍ଟ ପ୍ରମାଣ ରହିଛି । ଘଟଣାସ୍ଥଳରୁ ସାକ୍ଷୀଙ୍କର ବୟାନ ମଧ୍ୟ ରେକର୍ଡ କରିଛି ପୁଲିସ । ବାସ ଭବନରୁ ଜବତ ହୋଇଥିବା ନଗଦ ଟଙ୍କାର ସଠିକ ହିସାବ ବି  ଦେଇ ପାରିନାହାଁନ୍ତି । ପୁଣି  ବିନା ଲାଇସେନ୍ସରେ  ଅଲଟ୍ରାସାଉଣ୍ତ ମେସିନ ରଖିବା ସହିତ ଅନାଧିକାର ଭାବେ ତାର ବ୍ୟବହାର କରୁଥିଲେ ଡାକ୍ତର ପୂଣ୍ୟଶ୍ଳୋକ ।

କିଛି ବର୍ଷ ତଳେ ନୟାଗଡ ଭୃଣହତ୍ୟା ମାମଲା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ସେବେ ପରଠାରୁ ଗର୍ଭ ଓ ଲିଙ୍ଗ ନିରୁପଣ ନିରୋଧ ଆଇନର ସଂଶୋଧନ କରିଥିଲେ ରାଜ୍ୟ ସରକାର । ଅର୍ଥାତ କେହି ଜଣେ ପେଶାଦାର ଭାବେ ଏଭଳି ଅପରାଧ କଲେ , ତାଙ୍କୁ ୩ ବର୍ଷ ପରିବର୍ତ୍ତେ ୫ ବର୍ଷ ଜେଲଦଣ୍ଡ ଭୋଗିବାକୁ ହେବ । କିନ୍ତୁ କେଉଁ ଅଦୃଶ୍ୟ ଶକ୍ତିର ଆଢୁଆଳରେ ରହି  ଡାକ୍ତର ପୂଣ୍ୟଶ୍ଳୋକ ବେଧଡକ ଭାବେ ଏଭଳି  ସଙ୍ଗୀନ କାମରେ ଲିପ୍ତ ଥିଲେ , ତାର ମୂଳ ଉତ୍ପାଟନ ହେବା ଆବଶ୍ୟକ । ନଚେତ ଆଗକୁ ଏହାକୁ ରୋକିବା ହୁଏତ ମୁସ୍କିଲ ହୋଇପାରେ ।   

wp:embed {"url":"https://www.prameyanews7.com/epfo-fixes-interest-rate-on-employees-provident-fund/","type":"wp-embed","providerNameSlug":"prameya-news-7"}
https://www.prameyanews7.com/epfo-fixes-interest-rate-on-employees-provident-fund/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.