ନକଲି ନାମରେ ବଲିଉଡରେ ରାଜ କରୁଛନ୍ତି ଏହିସବୁ ଷ୍ଟାର, ଜାଣନ୍ତୁ ଏମାନଙ୍କର ଅସଲ ପରିଚୟ
19/06/2019 at 9:30 PM

ନାମ ମେଁ କ୍ୟା ରଖା ହୈ ….ଆପ୍ତ ବାକ୍ୟର ବାସ୍ତବରେ କିଛି ନା କିଛି ସତ୍ୟାସତ୍ୟ ନିଶ୍ଚିତ ଅଛି । ନ ହେଲେ ପିଲାଟି ଦିନରୁ ବାପା, ଜେଜେ, ଭାଇ,ଭଉଣୀ ସାଙ୍ଗ ସାଥୀ ଆଦରରେ ଡାକି ଆସିଥିବା ନାଁ ବଦଳେ କାହିଁକି ଲୋକେ ଅନ୍ୟ ନାମରେ ପରିଚିତ ହେଉଥାନ୍ତେ? ହୁଏତ ସେହି ଆଦରର ନାଁରେ ନଥିଲା ଆକର୍ଷଣ, ଯଦି ବି କିଛି ଥିଲା ତାହା ବି ସେମାନଙ୍କୁ ସଫଳ କରିବାରେ ଯଥେଷ୍ଟ ନଥିଲା। ଏଣୁ ସଫଳତା ପାଇଁ ସେମାନଙ୍କୁ ଯେଉଁ ନାମ ଦେଇଦିଆଗଲା ଆଜି ସେଥିରେ ସେମାନେ ଆକାଶ ଛୁଉଁଛନ୍ତି। ଏହି ଭଳି ଜଣେ ବ୍ୟକ୍ତିତ୍ବ ଭାବେ ବଲିଉଡ ବିଗ-ବିଙ୍କୁ ଆଜି ଆମେ ଚର୍ଚ୍ଚାର ପ୍ରସଙ୍ଗ କରିପାରିବା। ଆମେ ଯେଉଁନାମରେ ବଲିଉଡ ଷ୍ଟାରମାନଙ୍କୁ ଜାଣିଛେ ବାସ୍ତବରେ ସେମାନଙ୍କର ନାମସବୁ ସେଇଆ ନୁହେଁ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମେ ବିଗ-ବି କହୁଥିବା ବଲିଉଡ ସୁପରଷ୍ଟାର ଅମିତାଭଙ୍କର ମଧ୍ୟ ଏହା ଅସଲି ନାମ ନୁହେଁ। କେବଳ ଅମିତାଭ ନୁହନ୍ତି ବଲିଉଡରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କୁ ଡୁପ୍ଲିକେଟ୍ ନାମ ସେମାନଙ୍କ ବ୍ୟକ୍ତିତ୍ବକୁ ଦେଇଛି ଅସଲ ପରିଚୟ । ତେବେ ଆସନ୍ତୁ ଜାଣିବା ବଲିଉଡର ସେହିସବୁ ତାରକାଙ୍କ ଅସଲି ନାମ ଯାହା ଆଜି ପର୍ଯ୍ୟନ୍ତ ଆମେ ଜାଣିନେ ବା କେବେ ଜାଣିବାକୁ ଚାହିଁନେ।

ଏଥିରେ ସର୍ବପ୍ରଥମେ ନିଆଯାଇପାରେ ବଲିଉଡ ସୁପରଷ୍ଟାର ଅମିତାଭଙ୍କ ନାମ। ଯାହାଙ୍କୁ ଏପର୍ଯ୍ୟନ୍ତ ଆମେ ପରଦାରେ ଅମିତାଭ ବଚ୍ଚନ ନାମରେ ଦେଖି ଆସିଛେ ତାହା କିନ୍ତୁ ତାଙ୍କର ସ୍କ୍ରିନ ନେମ। ତେବେ ତାଙ୍କର ବାସ୍ତବ ନାମ ହେଉଛି ଇନକିଲାବ ଶ୍ରୀବାସ୍ତବ। କ’ଣ ଆଶ୍ଚର୍ଯ୍ୟ ଲାଗୁଛି ନା । ଆଶ୍ଚର୍ଯ୍ୟ ହେଲେ ବି ସତ୍ୟ ଅମିତାଭ ହିଁ ଇନକିଲାବ। ହେଲେ ପରଦାରେ କିନ୍ତୁ ସେ ଅମିତାଭ ନାମରେ ବେଶ ସଫଳ। ଏହି ନାମରେ ତାଙ୍କୁ ମିଳିଛି ନଭଶ୍ଚୁମ୍ବି ସଫଳତା।

ସେହିପରି ଅମିତାଭଙ୍କ ସହ ଅଭିନୟ କରି ସଫଳ ହୋଇଥିବା ଚିରସବୁଜ ନାୟିକା ରେଖାଙ୍କର ମଧ୍ୟ ଏହା ନିଜର ଅସଲି ନାମ ନୁହେଁ। ପରଦାରେ ସଫଳ ହୋଇଥିବା ନାମ ପଛରେ ଥିବା ତାଙ୍କ ଅସଲି ନାମଟି ହେଉଛି ଭାନୁରେଖା ଗଣେଶନ। ପ୍ରଖ୍ୟାତ ତାମିଲ ଅଭିନେତା ରାମାସାମୀ ଗଣେଶନ ଓରଫଜେମିନି ଗଣେଷନଙ୍କ କନ୍ୟା ହେଉଛନ୍ତି ରେଖା ଗଣେଶନ।

ସେହିପରି ଆକ୍ସନ ହିରୋ ରୂପେ ପରଦାରେ ସଫଳ ହୋଇଥିବା ଅଜୟ ଦେବଗନଙ୍କର ମଧ୍ୟ ଏହା ପରଦା ନାମ। ତାଙ୍କର ଅସଲି ନାମ କିନ୍ତୁ କିଛି ଅନ୍ୟ। ସ୍କୁଲ ଓ କଲେଜରେ ବିଶାଲ ଦେବଗନ ଭାବେ ଦୀର୍ଘ ବର୍ଷ ଧରି ପରିଚିତ ଥିବା ଏହି କଳାକାର ସିନେମା ପରଦାକୁ ଆସିବା ମାତ୍ରେ ବଦଳିଯାଇଥିଲା ତାଙ୍କ ନାଁ। ସେ ବିଶାଲରୁ ହୋଇଯାଇଥିଲେ ଅଜୟ.. ଅଜୟ ଦେବଗନ। ପ୍ରଥମ ଫିଲ୍ମ ହିଟ୍ ହେବା ପରଠାରୁ ସେ ଅଜୟ ହୋଇ ରହିଛନ୍ତି ବଡପରଦାରେ । ସେହିପରି ପରଦାର ଖିଲାଡି କୁମାରଙ୍କ ନାମ ମଧ୍ୟ ଅସଲି ନୁହେଁ। ତାଙ୍କ ବାସ୍ତବ ନାମ ଥିଲା ରାଜୀବ ହରିଓଁ ଭାଟିଆ। ହେଲେ ପରଦା ନାମର ସଫଳତା ଅନୁସାରେ ଚିହ୍ନଟ ହୋଇଥିଲେ ଅକ୍ଷୟ କୁମାର ଭାବେ।

ସେହିପରି ଆଉଜଣେ କଳାକାର ହେଉଛନ୍ତି ସନି ଲିଓନି। ଭାରତୀୟ ବଂଶୋଦଭବ ଏହି ଆମେରିକୀୟ କଳାକାରଙ୍କ ନାମ ହେଲା କରନଜିତ୍ ସିଂ ବୋହରା। କିନ୍ତୁ ସନି ଲିଓନି ଭାବେ ଏବେ ସେ ବେଶ୍ ଜଣାସୁଣା। ତେବେ ହାଲ ନାମରେ ସେମାନଙ୍କ ଜୀବନକୁ ଫେରିବାଟା ଏବେ ଆଉ ଉଚିତ ମନେ କରାଯଏନି।