କିଛି ବି କରନ୍ତୁ, ଜ୍ଞାନବାପୀ ମସଜିଦ ଅଛି ଆଉ ରହିବ, ଭିଡିଓ ଲିକ୍ ନେଇ  ଗର୍ଜିଲେ ଓଓ୍ଵେସୀ

Published By : Prameya-News7 Bureau | May 31, 2022 IST

ବାରାଣସୀ: ଜ୍ଞାନବାପୀ ମସଜିଦରେ ହୋଇଥିବା ସର୍ବେକ୍ଷେଣର ଭିଡିଓ ଲିକ୍ ହେବା ନେଇ ଏମଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦୀନ ଓଓ୍ଵେସୀ ଆପତ୍ତି ପ୍ରକାଶ କରିଛନ୍ତି। କୋର୍ଟର ଆଦେଶକୁ ଅମାନ୍ୟ କରାଯାଇଛି ଏବଂ ଏହି ଭିଡିଓ ନକଲି ହୋଇଥାଇପାରେ। ଯଦି ବି ଏହି ଭିଡିଓ ସତ ତେବେ ବି ଜ୍ଞାନବାପୀ ମସଜିଦ୍ ଥିଲା ଏବଂ ରହିବ ବୋଲି ସାଂସଦ ଓଓ୍ଵେସୀ କହିଛନ୍ତି।

ଅସଦୁଦ୍ଦୀନ ଓଓ୍ଵେସୀ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯେଉଁ ମିଡିଆରେ ଏହି ଭିଡିଓ ପ୍ରସାରଣ କରାଯାଉଛି, ସେମାନେ ବହୁତ ବଡ ଭୁଲ୍ କରୁଛନ୍ତି। ଏହି ଭିଡିଓର ପ୍ରସାରଣ କରାଯିବା ଉଚିତ୍ ନୁହେଁ ବୋଲି ସୁପ୍ରିମକୋର୍ଟରେ ବିଚାରପତି କହିଛନ୍ତି। ତଥାପି ଏହାର ପ୍ରସାରଣ ହେଲା। ଆପଣ ଲିକ୍ କରନ୍ତୁ, ଯାହା ବି କରନ୍ତୁ, ୧୯୯୧ର ଆକ୍ଟ ରହିଛି। ଆକ୍ଟ ମୁତାବକ ୧୯୪୭ରେ ମସଜିଦ୍ ଥିଲା ଏବଂ ଏବେ ଏହା ମସଜିଦ ହିଁ ରହିବ। ଏପରିକି କଂଗ୍ରେସର ନିରବତାକୁ ନେଇ ପ୍ରଶ୍ନ କରିଛନ୍ତି ଓଓ୍ଵେସୀ।

ଓଓ୍ଵେସୀ କହିଛନ୍ତି, ସବୁଠୁ ବଡ ପ୍ରଶ୍ନ କଂଗ୍ରେସ ପାର୍ଟି ମୋ ଉପରେ ଯେଉଁ ଅଭିଯୋଗ ଲଗାଇଛି, ସେ ଆଜି ଗୁଙ୍ଗା କାହିଁକି ପାଲଟିଛି। ଆପଣଙ୍କ ସରକାର ହିଁ ଏହି ଆଇନ୍ କରିଥିଲେ। ଯଦି ଆପଣ ୧୯୯୧ର ସଂସଦର ବିତର୍କ ଦେଖିବେ ତେବେ ଉମା ଭାରତୀ ଚିତ୍କାର କରି କହୁଥିଲେ ଜ୍ଞାନବାପୀର କଣ ହେବ। ସଂସଦରେ ଭୋଟିଂରେ ବିଜେପି ପରାଜିତ ହୋଇଥିଲା। ୧୯୯୧ର ଆକ୍ଟ ଅନୁଯାୟୀ, ଆପଣ ମସଜିଦ ଉପରେ କିଛି କରି ପାରିବେ ନାହିଁ। ପ୍ରଥମ କଥା ମୁଁ ଏହି ପରି ଭିଡିଓକୁ ମାନେ ନାହିଁ। ହୋଇପାରେ ଏହା ଏଡିଟ୍ ହୋଇଥାଇପାରେ। ଯଦି ଭିଡିଓ ସତ ତେବେ ତା ପାଇଁ ଆଇନ୍ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.