ଥଣ୍ଡା-କାଶକୁ କଦାପି ଅଣଦେଖା କରନ୍ତୁ ନାହିଁ, ଲୋକଙ୍କୁ ଏମିତି ରୋଗୀଣା କରୁଛି H3N2 ଭାଇରସ୍
6/03/2023 at 8:19 PM

ନୂଆଦିଲ୍ଲୀ: ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ କମିଥିବା ବେଳେ ଅନ୍ୟପଟେ ଥଣ୍ଡା, କାଶ ଏବଂ ଜ୍ଵରଜନିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଇନଫ୍ଲୁଏଞ୍ଜା ଭାଇରସ୍ କାରଣରୁ ଏହା ହେଉଥିବା କହିଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର)।
ଆଇସିଏମଆରର ବିଶେଷଜ୍ଞଙ୍କ କହିବା କଥା ଗତ ଦୁଇ ତିନି ମାସ ହେବ ଇନଫ୍ଲୁଏଞ୍ଜା ଭାଇରସ୍ ଏ ସବଟାଇପ୍ H3N2 କାରଣରୁ ଜ୍ଵର ଏବଂ କାଶ-ଥଣ୍ଡା ମାମଲା ଦେଖିବାକୁ ମିଳିଛି। ଫଳରେ H3N2 ଯୋଗୁଁ ହସ୍ପିଟାଲ୍ରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
ଇଣ୍ଡିଆନ ମେଡିକାଲ୍ ଆସୋସିଏସନ(ଆଇଏମଏ)ର କହିବା କଥା ବଦଳୁଥିବା ପାଣିପାଗ ଯୋଗୁଁ ଜ୍ଵର ବ୍ୟାପିବାରେ ଲାଗିଛି। ଏହି ଜ୍ଵର ମଣିଷ ଦେହରେ ପାଞ୍ଚରୁ ସାତ ଦିନ ପର୍ଯ୍ୟନ୍ତ ରହୁଛି। ଏମିତି ଜ୍ଵରରେ ଆଣ୍ଟିବାୟୋଟିକ ନେବାରୁ ନିବୃତ୍ତ ରହିବା ଉଚିତ୍ ବୋଲି ବିଶେଷଜ୍ଞ କହିଛନ୍ତି।
ଆଇଏମଏ ଅନୁଯାୟୀ, ଜ୍ଵର ତ ତିନି ଚାରି ଦିନରେ ଭଲ ହୋଇ ଯାଉଛି, କିନ୍ତୁ ଥଣ୍ଡା-କାଶ ତିନି ସପ୍ତାହ ଯାଏଁ ଜାରି ରହୁଛି। ପ୍ରଦୂଷଣ ଯୋଗୁଁ ୧୫ ବର୍ଷରୁ କମ ଏବଂ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଶ୍ଵାସ ନଳୀରେ ସଂକ୍ରମଣ ଦେଖା ଦେଇଛି।
ଏନଫ୍ଲୁଏଞ୍ଜାର ଲକ୍ଷଣ କଣ ?
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ) ଅନୁସାରେ ପାଣିପାଗଜନିତ ଏନଫ୍ଲୁଏଞ୍ଜାରେ ସଂକ୍ରମିତ ହେଲେ ମଣିଷଠାରେ ଜ୍ଵର, ସୁଖିଲା କାଶ, ମୁଣ୍ଡ ବ୍ୟଥା ଏବଂ ଗଣ୍ଠିରେ ଯନ୍ତ୍ରଣା, ଥକ୍କାପଣ, ନାକରୁ ପାଣି ବହିବା ଆଦି ଲକ୍ଷଣ ଦେଖାଯାଏ। ଅଧିକାଂଶ ଲୋକଙ୍କ ଜ୍ଵର ଗୋଟିଏ ସପ୍ତାହରେ ଠିକ୍ ହୋଇ ଯାଉଥିବା ବେଳେ କାଶରୁ ସୁସ୍ଥ ହେବା ପାଇଁ ଦୁଇ ସପ୍ତାହ କିମ୍ବା ସେଥିରୁ ଅଧିକ ସମୟ ଲାଗୁଛି।
କାହା ପ୍ରତି ବେଶି ବିପଦ
ଏମିତିରେ ଏନଫ୍ଲୁଏଞ୍ଜା କୌଣସି ବି ବୟସର ବ୍ୟକ୍ତିଙ୍କୁ କେବେ ବି ହୋଇପାରେ। ମାତ୍ର ଏଥିରେ ସବୁଠୁ ଅଧିକ ବିପଦ ଗର୍ଭବତୀ ମହିଳା, ପାଞ୍ଚ ବର୍ଷରୁ କମ ବୟସର ପିଲା, ବୃଦ୍ଧ ଏବଂ କୌଣସି ରୋଗରେ ପୀଡିତ ଲୋକଙ୍କ ପ୍ରତି ରହିଛି।
ଏହା କେମିତି ବ୍ୟାପେ ?
ଏହା ଏକ ଭାଇରାଲ୍ ରୋଗ। ତେଣୁ କୌଣସି ବ୍ୟକ୍ତିଙ୍କଠୁ ଅନ୍ୟ ବ୍ୟକ୍ତିଙ୍କୁ ଏହା ସଜଜରେ ବ୍ୟାପିପାରେ। ହୁ ଅନୁଯାୟୀ, ଜନଗହଳିପୂର୍ଣ୍ଣ ଜାଗାରେ ଏହା ସହଜରେ ବ୍ୟାପିଥାଏ।
ଏନଫ୍ଲୁଏଞ୍ଜାରେ ସଂକ୍ରମିତ କୌଣସି ବ୍ୟକ୍ତି ଯେବେ କାଶନ୍ତି କିମ୍ବା ଛିଙ୍କନ୍ତି ତେବେ ଏହାର କଣିକା ଗୋଟିଏ ମିଟର ପର୍ଯ୍ୟନ୍ତ ବ୍ୟାପିପାରେ। ସେହି ସମୟରେ ଯଦି ଅନ୍ୟ କୌଣସି ବ୍ୟକ୍ତି ନିଃଶ୍ଵାସ ନିଅନ୍ତି ତେବେ ଏହା ଶରୀରକୁ ଚାଲିଯାଏ ଏବଂ ସଂକ୍ରମିତ କରିଥାଏ।
ତେଣୁ କାଶିବା ଏବଂ ଛିଙ୍କିବା ସମୟରେ ମୁହଁକୁ ଢାଙ୍କିବା ଅତି ଜରୁରୀ। ଏହା ସହିତ ବାରମ୍ବାର ନିଜ ହାତ ଧୋଇବା ଉଚିତ୍।
କଣ କରିବା ଉଚିତ୍ ?
ମାସ୍କ ପିନ୍ଧନ୍ତୁ ଏବଂ ଜନଗହଳିପୂର୍ଣ୍ଣ ଜାଗାଠୁ ଦୂରରେ ରୁହନ୍ତୁ।
ବାରମ୍ବାର ନିଜ ଆଖି ଏବଂ ନାକକୁ ଛୁଅନ୍ତୁ ନାହିଁ।
କାଶିବା ଏବଂ ଛିଙ୍କିବା ସମୟରେ ମୁହଁ ଏବଂ ନାକକୁ ଘୋଡାଇ ରଖନ୍ତୁ।
ଜ୍ଵର ଏବଂ ମୁହଁ ବ୍ୟଥା ହେଲେ ପାରାସିଟାମଲ ଖାଆନ୍ତୁ।
କଣ କରିବା ଉଚିତ୍ ନୁହେଁ ?
ହାତ ମିଳାଇବା ଏବଂ କୌଣସି ପ୍ରକାରର ଜନଗହଳିଠୁ ଦୂରେଇ ରୁହନ୍ତୁ।]
ସାର୍ବଜନୀନ ସ୍ଥାନରେ ଥୁକନ୍ତୁ ନାହିଁ।
ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ କିମ୍ବା ଔଷଧ ଖାଆନ୍ତୁ ନାହି।
ପାଖାପାଖି ବସି ଖାଦ୍ୟ ଖାଆନ୍ତୁ ନାହିଁ।
କେତେ ବିପଦ ଏନଫ୍ଲୁଏଞ୍ଜା ?
ଅଧିକାଂଶ ଲୋକ ବିନା କୌଣସି ଡାକ୍ତରୀ ସେବାରେ ଏନଫ୍ଲୁଏଞ୍ଜାରୁ ସୁସ୍ଥ ହୋଇ ଯାଉଛନ୍ତି। ମାତ୍ର କିଛି ମାମଲାରେ ଏହା ଗମ୍ଭୀର ହୋଇପାରେ। ଏପରିକି ଏଥିରେ ରୋଗୀଙ୍କ ମୃତ୍ୟୁ ବି ଘଟିପାରେ।
ହୁ ଅନୁଯାୟୀ, ବିଶେଷ କରି ହାଇରିସ୍କରେ ଥିବା ଲୋକଙ୍କ ହସ୍ପିଟାଲ୍ରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ଘଟିବା ମାମଲା ଅଧିକାଂଶ ରହିଛି।