କନ୍ନୌଜ ନାବାଳିକା ଦୁଷ୍କର୍ମ କାଣ୍ଡ : ମ୍ୟାଚ୍ ହେଲା DNA ନମୁନା, ବଢିଲା ସପା ନେତା ନବାବ ସିଂହ ଯାଦବଙ୍କ ସମସ୍ୟା

Published By : Prameya-News7 Bureau | September 02, 2024 IST

କନ୍ନୌଜ : ଉତ୍ତରପ୍ରଦେଶ କନ୍ନୌଜ ନାବାଳିକା ଦୁଷ୍କର୍ମ ମାମଲାରେ ସମାଜବାଦୀ ପାର୍ଟି (ସପା) ନେତା ନବାବ ସିଂହ ଯାଦବଙ୍କ ସମସ୍ୟା ଏବେ ଜଟିଳ ହୋଇଛି।  ମାମଲାରେ ଡିଏନଏ ପରୀକ୍ଷଣ ରିପୋର୍ଟ ପୋଲିସକୁ ମିଳିଛି। ଉତ୍ତରପ୍ରଦେଶ ପୋଲିସ ଅନୁସାରେ ଡିଏନଏ ସାମ୍ପଲ ମ୍ୟାଚ୍ ହୋଇଯାଇଛି। ଏଣୁ ଏବେ ଯାଦବଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବ ବୋଲି ଏସପି ଅମିତ କୁମାର ଆନନ୍ଦ  ସୂଚନା ଦେଇଛନ୍ତି। 

କନ୍ନୌଜରେ ନବାବ ସିଂହ ଯାଦବ ଜଣେ ଦବଙ୍ଗ ନେତା ଭାବେ ଜଣାଶୁଣା। ନବାବଙ୍କ ବିରୋଧରେ କେବଳ କନ୍ନୌଜରେ ୧୫ଟି ମାମଲା ରହିଛି। ଏଥିରୁ ୩ଟି ମାମଲା ଗୁଣ୍ଡା ଆକ୍ଟରେ ରୁଜୁ ହୋଇଛି। ଏହା ଛଡା ମାରପିଟ, ଧମକାଇବା, ସରକାରୀ କାମରେ ବାଧା ଦେବା ଓ ଅପହରଣ ଉଦ୍ୟମ ଭଳି ମାମଲା ମଧ୍ୟ ରହିଛି। ଅଡଙ୍ଗାପୁର ଗାଁର ନବାବ ସିଂହ ଅତ୍ୟନ୍ତ ଗରିବ ଥିଲା ବୋଲି ତା ଗାଁ ଲୋକେ କହନ୍ତି। ହେଲେ ଯେବେଠୁ ସେ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତା ହେଲାଣି ସେବେଠାରୁ ତା ସମ୍ପତ୍ତି ବଢିବାରେ ଲାଗିଛି। 

କେବଳ କନ୍ନୌଜରେ ନବାବ ସିଂହର ୨ଟି ଘର ରହିଛି। ତାଙ୍କର ଗୋଟିଏ ଡିଗ୍ରି କଲେଜ ସାଙ୍ଗକୁ ଏକ ହୋଟେଲ ମଧ୍ୟ ଅଛି। ଏହା ଛଡା ନବାବ ନୋୟେଡାର ଏକ ପଞ୍ଚ ତାରକା ହୋଟେଲରେ ବି ନିବେଶ କରିଥିବାର ଖବର ମିଳୁଛି। ନବାବର ଅନେକ ବେନାମୀ ସମ୍ପତ୍ତି ମଧ୍ୟ ଅଛି। ତାର ମୋଟ ସମ୍ପତ୍ତିର ପରିମାଣ ପାଖାପାଖି ୩୦୦ କୋଟି ଟଙ୍କାରୁ ଅଧିକ ହେବ। ଏବେ ନବାବ ସିଂହର ସମ୍ପତ୍ତି ଯାଞ୍ଚ ହେଉଛି। ତାର ଅପରାଧ ଅର୍ଜିତ ସମ୍ପତ୍ତିକୁ ଏବେ ସରକାର ଜବତ କରିନେବେ ବୋଲି ଆକଳନ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.