ଓଡ଼ିଶା ମେଟ୍ରୋ ପ୍ରକଳ୍ପ: ଡିପିଆର୍ ପ୍ରଦାନ କଲା ଡିଏମ୍ଆର୍ସି, ଏୟାରପୋର୍ଟରୁ ଯାତ୍ରା ଆରମ୍ଭ ତ୍ରିଶୁଳିଆରେ ଶେଷ
16/08/2023 at 9:45 PM

ଭୁବନେଶ୍ୱର: ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ପ୍ରକଳ୍ପର ସବିଶେଷ ରିପୋର୍ଟ(ଡିପିଆର୍) ପ୍ରଦାନ କରାଯାଇଛି। ମୁଖ୍ୟ ସଚିବଙ୍କୁ ଡିପିଆର୍ ପ୍ରଦାନ କରିଛି ଦିଲ୍ଲୀ ମେଟ୍ରୋ ରେଳ କୋର୍ପୋରସନ (ଡିଏମ୍ଆର୍ସି)। ଡିପିଆର୍ରେ ମେଟ୍ରୋ ରେଲ୍ ପ୍ରକଳ୍ପ ନେଇ ବିସ୍ତୃତ ବିବରଣୀ ରହିଛି। ଏଥିରେ ଟ୍ରେନ୍ କେଉଁ ଅଞ୍ଚଳ ଦେଇ ଯିବ ତାର ପୂରା ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି।
ରିପୋର୍ଟ ଅନୁସାରେ, ରାଜ୍ୟରେ ମୋଟ ୨୫ କିମି ମେଟ୍ରୋ ପ୍ରକଳ୍ପରେ ୨୦ ଷ୍ଟେସନ ରହିବ। ଏୟାରପୋର୍ଟ ପରେ କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ବାପୁଜୀନଗର, ଭୁବନେଶ୍ୱର ଷ୍ଟେସନ, ରାମମନ୍ଦିର, ବାଣୀବିହାର ଓ ଆଚାର୍ଯ୍ୟ ବିହାରରେ ମେଟ୍ରୋ ଷ୍ଟେସନ ଷ୍ଟପେଜ୍ ରହିବ।
ପଢ଼ନ୍ତୁ-ରେଲୱେକୁ କେନ୍ଦ୍ରର ବଡ଼ ଉପହାର, ୩୨ ହଜାର କୋଟିରେ ବଦଳିବ କାୟାକଳ୍ପ
ସେହିପରି ଜୟଦେବ ବିହାର, ରେଲ୍ ସଦନ, ଜାଭିୟର ଛକ, ଡିଷ୍ଟ୍ରିକ୍ଟ ସେଣ୍ଟରରେ, ଡମଣା, ପଟିଆ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁରରେ ଷ୍ଟେସନ ରହିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ ମେଟ୍ରୋ ଯାତ୍ରା ଆରମ୍ଭ ହୋଇ ନନ୍ଦନକାନନ, ଫୁଲପୋଖରୀ ପରେ ତ୍ରିଶୁଳିଆ ଷ୍ଟେସନରେ ଯାତ୍ରା ଶେଷ କରିବ।
ସୂଚନା ଅନୁସାରେ ୩ ମାସ ଭିତରେ ପ୍ରୋଜେକ୍ଟ ପାଇଁ ଶିଳାନ୍ୟାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶିଳାନ୍ୟାସର ୩ ବର୍ଷ ପରେ ପ୍ରଥମ ପର୍ଯ୍ୟାୟ କାମ ସାରିବାକୁ ଟାର୍ଗେଟ୍ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ କାଠଯୋଡ଼ି ଉପରେ ଦୁଇ ଥାକିଆ ବ୍ରିଜ୍ ଯୋଜନା କରାଯାଇଛି।
ତେବେ ଟ୍ରଙ୍କ ରୁଟ୍ରେ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ସହରର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଶାଖା ମେଟ୍ରୋ ରୁଟ୍ ଆସି ସଂଯୋଗ ହେବ। ଏହାଦ୍ୱାରା ପୁରୀ ଓ ଖୋର୍ଦ୍ଧାକୁ ମଧ୍ୟ ଲମ୍ବିବ ମେଟ୍ରୋ। ପୁରୀ ପଟୁ ସମ୍ଭାବ୍ୟ ମେଟ୍ରୋ ପଥରେ ପିପିଲି, ସାକ୍ଷୀଗୋପାଳ ଓ ଚନ୍ଦନପୁର ଆଦି ଅଞ୍ଚଳ ଯୋଡ଼ି ହେବ।
ସେହିଭଳି ଖୋର୍ଦ୍ଧା ପଟୁ ଆସିବାକୁ ଥିବା ମେଟ୍ରୋ ରୁଟ୍ ରେ ଜଟଣୀ ସହର ମଧ୍ୟ ଯୋଡ଼ି ହେବ। ଏହାକୁ ମିଶାଇଲେ ପୂରା ମେଟ୍ରୋ ପ୍ରକଳ୍ପର ବ୍ୟୟବରାଦ ପ୍ରାୟ ୧୫ ହଜାର କୋଟି ଟଙ୍କା ଛୁଇଁଯିବ।