ରହସ୍ୟ ଘେରରେ DJ Azex ଙ୍କ ମୃତ୍ୟୁ, ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ହୋଇପାରେ ଜେରା
20/03/2023 at 10:54 AM

ଭୁବନେଶ୍ୱର ୨୦।୦୩ : ରହସ୍ୟ ଘେରରେ ପପୁଲାର DJ Azex ଙ୍କ ମୃତ୍ୟୁ । ଭୁବନେଶ୍ବର ଖାରବେଳ ନଗର ସ୍ଥିତ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ଚାଲିଛି ତନାଘନା । ଡିଜେ ଆଜେକ୍ସ ବା ଅକ୍ଷୟ କୁମାର ମହାରଣାଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ତାଙ୍କର ପୁରୁଷ ବନ୍ଧୁଙ୍କ ହାତ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ ସନ୍ଦେହ କରାଯାଉଛି। ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ହୋଇପାରେ ଜେରା ।
ସେପଟେ ଆଜେକ୍ସଙ୍କ ବ୍ୟବଛେଦ ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଛି। ଏକ ଘରୋଇ ମେଡିକାଲ କଲେଜରେ ଡିଜେ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁଇ ବର୍ଷ ପ୍ରେମ ଠିକ ଠାକ ଚାଲିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସେହି ଝିଅ ଅନ୍ୟ ଏକ ପୁରୁଷ ବନ୍ଧୁଙ୍କ ସହ ମିଶି ଅକ୍ଷୟଙ୍କୁ କୁଆଡ଼େ ବ୍ଲାକମେଲ କରୁଥିଲେ। ଏମିତିକି ଅନଲାଇନ୍ ପେମେଣ୍ଟରେ ସେ ୧୫ ହଜାର ଟଙ୍କା ବି ସେ କଆଡ଼େ ଦେଇଥିଲେ। ଏହାସହିତ ଏକ ସ୍କୁଟି ଦେବାଲାଗି କୁଆଡ଼େ କଥା ଦେଇଥିଲେ।
ତେବେ ଏଠି ପ୍ରଶ୍ନ ଉଠୁଛି ସେ ଆତ୍ମହତ୍ୟା କଲେ କାହିଁକି। DJ Azex ବ୍ୟବହାର କରୁଥିବା ମୋବାଇଲ ଫୋନ୍ , ଚାଟ ମେସେଜ , ବ୍ୟାଙ୍କ୍ ଆକାଉଣ୍ଟ ପେମେଣ୍ଟ ଲିଷ୍ଟ ଭଳି ଅନେକ ପ୍ରମାଣ ପୋଲିସ୍ କୁ ଦେଇଛନ୍ତି ପରିବାର ଲୋକେ ଓ ଆଜେକ୍ସଙ୍କ ବନ୍ଧୁ । ସେପଟେ ଯୁବତୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଆଜେକ୍ସଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ତାଙ୍କୁ ହତ୍ୟା କରାଯାଇନାହିଁ ତ? ଯଦି ସେ ଆତ୍ମହତ୍ୟା କରିଛନ୍ତି ଏଥିପାଇଁ କିଏ ଦାୟୀ।