ଡିଭୋର୍ସ ପରେ କେମିତି ଅଛନ୍ତି ଦିୟା?କହିଲେ ଛୋଟବେଳେ ଦୁଃଖ ଦେଖିଛି…
11/02/2020 at 3:16 PM

ମୁମ୍ବାଇ୧୧|୨: ନିକଟରେ ଏକ ସାକ୍ଷାତକାରରେ ଦିୟା ମିର୍ଜା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା କହିଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ଦିୟା ନିଜ ସ୍ବାମୀ ସାହିଲ ସଂଘାଙ୍କଠାରୁ ଅଲଗା ହୋଇଥିଲେ। ସାହିଲଙ୍କଠାରୁ ଅଲଗା ହେବା ପରେ ଦିୟା ସୋସିଆଲ ମିଡିଆରେ ତାଙ୍କ ସମ୍ପର୍କକୁ ନେଇ କିଛିଟା କଥା ସେୟାର କରିଥିଲେ। ସେ କହିଥିଲେ ଯେ, ଉଭୟ ପରସ୍ପର ସହ କଥାବାର୍ତ୍ତା ଓ ବୁଝାମଣା କରିବା ପରେ ବିବାହ ବିଚ୍ଛେଦ ଲାଗି ନିଷ୍ପତ୍ତି ନେଇଥିଲେ। ସାହିଲ ଓ ଦିୟାଙ୍କ ମଧ୍ୟରେ ଆଗକୁ ଭଲ ସମ୍ପର୍କ ରହିବ। ଉଭୟ ଭଲ ବନ୍ଧୁ ହୋଇ ପରସ୍ପରଙ୍କୁ ସପୋର୍ଟ କରିବେ ବୋଲି ଦିୟା କହିଥିଲେ।

ତେବେ ନିକଟରେ ଏନେଇ ଦିୟା ଏକ ଭାବୁକ ମନ୍ତବ୍ୟ ଦେଇଛନ୍ତି। ଦିୟାଙ୍କ ମାଆ ବାପା ମଧ୍ୟ ଅଲଗା ହୋଇଥିଲେ। ସେତେବେଳେ ଦିୟା ମାତ୍ର ସାଢେ ଚାର ବର୍ଷର ହୋଇଥିଲେ।ଯଦି ଏତେ ଛୋଟ ଥିବା ସମୟରେ ସେ ଏହି କଷ୍ଟ ସହିଥିଲେ ତାହେଲେ ୩୭ ବର୍ଷରେ ଛାଡପତ୍ରର କଷ୍ଟ ମଧ୍ୟ ସହିପାରିବେ। ସେ ନିଜକୁ ଖୁବ ଭଲ ଭାବେ ସମ୍ଭାଳିପାରିବେ ବୋଲି କହିଛନ୍ତି ଦିୟା। ତାଙ୍କ କହିବା ଅନୁସାରେ ଏହି ଖରାପ ସମୟ ମଧ୍ୟ ଖୁବ ଶୀଘ୍ର କଟିଯିବ।

୨୦୧୪ ମସିହାରେ ଦିୟା ନିଜ ଲଂଗ ଟାଇମ୍ ବ୍ୟବସାୟ ପାର୍ଟନର ସାହିଲ ସଂଘାଙ୍କୁ ବିବାହ କରିଥିଲେ। ଏହି ଦମ୍ପତ୍ତି ନିଜ ରୟାଲ ୱେଡିଂକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ। ଦିଲ୍ଲୀରେ ଉଭୟ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ଦୁହିଁଙ୍କ ବିବାହ ହୋଇଥିଲା। ଶେଷ ଥର ପାଇଁ ଦିୟା ବଲିଉଡର ସୁପରହିଟ୍ ଫିଲ୍ମ ସଂଜୁରେ ନଜର ଆସିଥିଲେ। ଏବେ ଦିୟା ଅପକମିଂ ଫିଲ୍ମ ଥପ୍ପଡ୍ରେ ଅଭିନୟ କରିବେ। ଚଳିତ ମାସ ୨୮ ତାରିଖରେ ଫିଲ୍ମଟି ରିଲିଜ ହେବ। ଗତ ବର୍ଷ ଦିୟା ଡିଜିଟାଲରେ ମଧ୍ୟ ଡେବ୍ୟୁ କରିଥିଲେ।