ମୁହୂର୍ତ୍ତ ଟ୍ରେଡିଂରେ ନିବେଶକ ମାଲାମାଲ, ସେନସେକ୍ସରେ ୭୦୦ ଅଙ୍କ ବୃଦ୍ଧି, ୧୭,୭୦୦ ଉପରେ ନିଫ୍ଟି

Published By : Prameya-News7 Bureau | October 24, 2022 IST

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୀପାବଳି ଦିନ ମୁହୂର୍ତ୍ତ ଟ୍ରେଡିଂ ସମୟରେ ସେୟାର ବଜାର ଚମକିଛି । ମୁହୂର୍ତ୍ତ ଟ୍ରେଡିଂ ପାଇଁ ସଂଧ୍ୟା ୬.୧୫ରୁ ୭.୧୫ ଯାଏଁ ଅର୍ଥାତ ଏକ ଘଣ୍ଟା ଟ୍ରେଡିଂ କରିଥିଲା । ଏହି ସମୟରେ ସେନସେକ୍ସ ୭୦୦ ଅଙ୍କ ବଢି ୬୦ ହଜାର ନିକଟରେ ୫୯,୯୯୪.୨୫ ଅଙ୍କରେ ପହଞ୍ଚିଥିଲା ।

ଅନ୍ୟପଟେ ନିଫ୍ଟିରେ ମଧ୍ୟ ଭଲ ବ୍ୟବସାୟ ହୋଇଛି । ଟ୍ରେଡିଂ ଶେଷ ସୁଦ୍ଧା ସେନସେକ୍ସ ୫୯,୮୩୧.୬୬ ଅଙ୍କରେ ବନ୍ଦ ହୋଇଛି । ପୂର୍ବ କାରବାର ଦିନ ତୁଳନାରେ ସେନସେକ୍ସରେ ୫୨୪.୫୧ ଅଙ୍କ ଅର୍ଥାତ ୦.୮୮ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପଟେ ନିଫ୍ଟି ୧୫୫ ଅଙ୍କ ଅର୍ଥାତ ୦.୮୮ ପ୍ରତିଶତ ବଢି ୧୭,୭୩୦.୭୫ ଅଙ୍କରେ ବନ୍ଦ ହୋଇଛି ।

ମୁହୂର୍ତ୍ତ ଟ୍ରେଡିଂରେ ବିଏସଇ ଇଣ୍ଡେକ୍ସର ଶୀର୍ଷ ୩୦ ଷ୍ଟକ ମଧ୍ୟରୁ ନେସଲେ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ଏଲ ଆଣ୍ଡ ଟି, ଏସବିଆଇ, ଏଚଡିଏଫସି, ଏଚଡିଏଫସି ବ୍ୟାଙ୍କ, ଇନଫୋସିସ, ଏନଟିପିସି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ଷ୍ଟିଲର ସେୟାର ୧ ପ୍ରତିଶତରୁ ଅଧିକ ବୃଦ୍ଧି ସହ ବନ୍ଦ ହୋଇଛି । ଏଚୟୁଏଲର ଷ୍ଟକ ୩ ପ୍ରତିଶତ ତଳକୁ ଖସିଥିଲା।

ମାନ୍ୟତା ରହିଛି ଯେ, ମୁହୂର୍ତ୍ତ ସମୟରେ କାରବାର କରିବା ଶୁଭ ହୋଇଥାଏ ଏବଂ ଏହା ଆର୍ଥିକ ଅଭିବୃଦ୍ଧି ଆଣିଥାଏ । ଏଥିପାଇଁ ଷ୍ଟକ ମାର୍କେଟ ଗୋଟିଏ ଘଣ୍ଟା ପାଇଁ ଖୋଲା ଯାଇଥାଏ । ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୨୬ରେ ଦୀପାବଳିର ବାଲିପ୍ରତିପଦା ଅବସରରେ ବଜାର ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.