ସମଗ୍ର ଦେଶରେ ଦୀପାବଳିର ମାହୋଲ: ଅଯୋଧ୍ୟାରେ ମହା ଦୀପୋତ୍ସବ
6/11/2018 at 7:26 PM

ଆସନ୍ତାକାଲି ଦୀପାବଳି । ଆଲୋକର ପର୍ବ । ଦୀପାବଳି ପାଳିବାକୁ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା କରିଛି । ତେବେ ତା ପୂର୍ବରୁ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ହୋଇଛି ମେଗା ଦୀପୋତ୍ସବ । ରାମମନ୍ଦିର ନିର୍ମାଣକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଦାବି ଜୋର୍ ଧରୁଥିବା ବେଳେ ଚଳିତବର୍ଷର ଅଯୋଧ୍ୟା ଦୀପୋତ୍ସବ ଅନେକ ଗୁରୁତ୍ବ ରଖୁଛି ।
ଭଗବାନ ଶ୍ରୀରାମଙ୍କ ଆଗମନକୁ ସ୍ବାଗତ । ସଜେଇ ହୋଇଛି ଅଯୋଧ୍ୟା । ଆଲୋକର ପର୍ବ ଦୀପାବଳିର ଦିନକ ପୂର୍ବରୁ ଉତ୍ତର ପ୍ରଦେଶ ଅଯୋଧ୍ୟାରେ ପାଳନ ହୋଇଛି ଦୀପୋତ୍ସବ । ଚଳିତବର୍ଷ ଦୀପୋତ୍ସବର ମୁଖ୍ୟ ଅତିଥି ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ପତ୍ନୀ କିମ୍ ଜୁଙ୍ଗ୍ ସୁକ୍ ସରଜୁ ନଦୀ କୂଳରେ ଆୟୋଜିତ ଏହି ଉତ୍ସବରେ ଯୋଗ ଦେଇଥିଲେ । ଦେଖିବାକୁ ମିଲିଥିଲା ଭାରତ-କୋରିଆ ସାଂସ୍କୃତିକ ଝଲକ୍।
ସରଜୂ ନଦୀ କୂଳରେ ସ୍ଥାପିତ ହୋଇଛି ୩୦ ଫୁଟ ଉଚ୍ଚ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି । ପାଖରେ ହନୁମାନଙ୍କ ମୂର୍ତ୍ତି ମଧ୍ୟ ହୋଇଛି । ଏହି ଅବସରରେ ସେଠାରେ ସ୍ବତନ୍ତ୍ର ଆରତୀ କରାଯାଇଛି । ଏଠି ହେଲିକପ୍ଟର୍ ପୁଷ୍ପକ ବିମାନରେ ସବାର୍ ହୋଇ ଭଗବାନ ଶ୍ରୀରାମ, ଦେବୀ ସୀତା ଏବଂ ଅନୁଜ ଲକ୍ଷ୍ମଣ ଅଯୋଧ୍ୟାରେ ପଦାର୍ପଣ କରିଥିଲେ । ଦକ୍ଷିଣ କୋରିଆ ପ୍ରଥମ ମହିଳାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସେମାନଙ୍କୁ ସ୍ବାଗତ କରିଛନ୍ତି ।
ଓଡ଼ିଶାରେ ମଧ୍ୟ ଦୀପାବଳି ପାଇଁ ପ୍ରସ୍ତୁତି ଜୋରଦାର୍ । ଲୋକେ ବାଣ ଓ ଦୀପ କିଣିବାରେ ବ୍ୟସ୍ତ । ତଥାପି ସେମାନେ ପରିବେଶ ପ୍ରତି ବେଶ୍ ସଚେତନ ରହିଛନ୍ତି । ମାଟି ଦୀପ ହିଁ ଲୋକଙ୍କର ପ୍ରଥମ ପସନ୍ଦ । ଆଉ ଗ୍ରାହକଙ୍କ ରୁଚିକୁ ନଜରରେ ରଖି ବଜାରରେ ଯଥେଷ୍ଟ ପରିମାଣରେ ମାଟି ଦୀପ ଉପଲବ୍ଧ ହୋଇଛି ।
ଆଲୋକର ପର୍ବ ଦୀପାବଳି, … ଆନନ୍ଦ, ଉଲ୍ଲାସର ଅବସର । ତେବେ ଏହି ଆନନ୍ଦ ଉଲ୍ଲାସ ଯେମିତି କାହା ପାଇଁ ଦୁଃଖ ଆଣି ନଦେଉ । ବାଣ ଫୁଟାନ୍ତୁ ବା ଦୀପ ଜାଳନ୍ତୁ, ସବଧାନ ବା ସତର୍କ ରହିବା ନିହାତି ଜରୁରୀ ।