ଆଜି ଆଲୋକର ପର୍ବ ଦୀପାବଳି, ଗାଁଠୁ ସହର ସବୁଠି ଝଲସିବ ଆଲୋକ
12/11/2023 at 8:01 AM

ପୁରୀ ୧୨।୧୧ : ଆଜି ପବିତ୍ର ଦୀପାବଳି । ବିଶେଷ କରି ଏହି ଦୀପାବଳି ଅମାବାସ୍ୟା ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ଭାବେ ପରିଚିତ। ଆଜିର ଏହି ପବିତ୍ର ଅମାବାସ୍ୟାରେ ପିତୃପକ୍ଷରେ ଆସିଥିବା ନିଜର ଦିବଙ୍ଗତ ପ୍ରିୟଜନଙ୍କୁ ବିଦାୟ ଦେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ବଡବଡୁଆ ଡାକ ଅନୁଷ୍ଠିତ ହେଉଛି।
ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଭକ୍ତମାନେ କାଉଁରିଆ କାଠି ଜାଳି ବଡବଡୁଆ ଡାକୁଛନ୍ତି। ଭକ୍ତଙ୍କ ଯାତାୟତ ସୁଗମ କରିବା ପାଇଁ ଶ୍ରୀମନ୍ଦିର ଚତୁପାର୍ଶ୍ବକୁ ନୋ ଭେଇକିଲ୍ ଜୋନ୍ କରାଯାଇଛି।
ସେପଟେ ବିଭିନ୍ନ ପୂଜା ମଣ୍ଡପ ଏବଂ ଦେବୀ ପୀଠ ଗୁଡିକରେ ମଧ୍ୟ ଆଜି କାଳିପୂଜା ଅନୁଷ୍ଠିତ ହେଉଛି । ଦେବୀ ପୀଠ ଗୁଡିକରେ ମାଙ୍କର ମହାକାଳୀ ବେଶ ନୀତି ଅନୁଷ୍ଠିତ ହେବା ସହ ଶଙ୍ଖୁଡ଼ି ଭୋଗ ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳାରେ କାଳୀପୂଜା ଆୟୋଜନ ପାଇଁ ଜିଲ୍ଲା, ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।