ବିବାହ ବନ୍ଧନରେ ବାନ୍ଧିହେଲେ ଏକାମ୍ର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ଗୌରୀ

Published By : Prameya-News7 Bureau | June 11, 2024 IST

ଭୁବନେଶ୍ୱର ୧୧।୬: ଏକାମ୍ର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜ ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା’ଗୌରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିର୍ଦ୍ଧାରିତ ସମୟରେ ଅର୍ଥାତ ଦିଅଁଙ୍କ ବଡ଼ସିଂହାର ନୀତି ସରିବା କ୍ଷଣି ବରଯାତ୍ରୀ ଭୋଜିଭାତ ଖାଇ ରୋଷଣି କରି ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରି ଥିଲେ । ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ସଙ୍ଗୀତ ଭିତରେ ମହାପ୍ରଭୁଙ୍କ ବର ଶୋଭାଯାତ୍ରା ଆଗେଇ ଚାଲିଥିଲା । ପ୍ରଶାସନର ନିଷ୍ପତ୍ତି ମୁତାବକ ଏଥର ଶୋଭାଯାତ୍ରାରେ ବାଣ ଫୁଟାଇବା ବନ୍ଦ କରାଯାଇଥିଲା । ଶୀତଳ ଷଷ୍ଠୀ କମିଟି ଦ୍ୱାରା ବିଭିନ୍ନ ପଶୁପକ୍ଷୀ ବେଶରେ ନୃତ୍ୟ, ମଶାଲ ନୃତ୍ୟ, ସାହିଯାତ, ଘଣ୍ଟ, ମର୍ଦ୍ଦଳ, ଦୁଲଦୁଲି, ସମ୍ବଲପୁରୀ, କଳାହାଣ୍ଡିର ଶିଙ୍ଗ ବାଜା, ଲଉଡି ନୃତ୍ୟ ଆଦି ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲା । 

ବରଯାତ୍ରୀମାନେ ପହଞ୍ଚିବା କ୍ଷଣି ସେମାନଙ୍କୁ କେଦାରଗୌରୀ ମନ୍ଦିର ସେବାୟତମାନେ ସ୍ୱାଗତ କରିବା ସହ ମୃଦୁପାନୀୟ ଅର୍ପଣ କରି ଆତିଥେୟତା ପ୍ରଦାନ କରିଥିଲେ । ନାନାଦି ବ୍ୟଞ୍ଜନରେ ବରଯାତ୍ରୀଙ୍କୁ ଆପ୍ୟାୟିତ କରାଯାଇଥିଲା । ପରେ ବିବାହ କର୍ମ ଆରମ୍ଭ ହୋଇଥିଲା । ବେଦି ଚତୁଃପାର୍ଶ୍ବ ଶଙ୍ଖ, ହୁଳହୁଳିରେ କମ୍ପି ଉଠିଥିଲା । ବ୍ରାହ୍ମଣ ମନ୍ତ୍ର ପାଠ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ମା’ଗୌରୀ ବିବାହ ବେଦିକୁ ବିଜେ କରିଥିଲେ । ବେଦୀରେ ହାତଗଣ୍ଠି ପଡ଼ିବା ପରେ ଜମିଥିଲା କଉଡ଼ି ଖେଳ । ମଙ୍ଗଳବାର ଦିନ ତମାମ ଏଠାରେ ଅବସ୍ଥାପିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଦେବ ଦମ୍ପତି । ସନ୍ଧ୍ୟାଧୂପ ପରର ସାହାଣମେଲା ସରିବା କ୍ଷଣି ଅର୍ଥାତ ରାତି ପ୍ରାୟ ୧୦ଟା ବେଳକୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବା ଲାଗି ବାହାରିବେ । ଏହି ଫେରନ୍ତା ଶୀତଳ ଷଷ୍ଠୀ ଯାତ୍ରା ଧୁମ୍‌ଧାମରେ କରାଯିବ । ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯିବ । ମନ୍ଦିରରେ ପହଞ୍ଚିବା ପରେ ବଡ ସିଂହାର, ପଞ୍ଚବକ୍ର ବିଜେ ଏବଂ ପୁଷ୍ପାଞ୍ଜଳି ଦେଇ ପହୁଡ଼ ପଡ଼ିବ ।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ  ଉତ୍ସବରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସେବାୟତମାନେ ଭୋଜିଭାତ  ଆୟୋଜନ କରିଥିଲେ । ଏହି ପଂକ୍ତି ଭୋଜନରେ ପ୍ରାୟ ୫ ହଜାରରୁ ଅଧିକ ଲୋକ ସାମିଲ  ହୋଇଥିଲେ । କିଛି ବର୍ଷ ବନ୍ଦ  ପଡ଼ିଥିବା ଏହି ପରମ୍ପରାକୁ ପୁଣି ସେବାୟତମାନେ ନିଜ ଆଡୁ ଚେଷ୍ଟା କରି ପ୍ରଚଳନ  କରିଛନ୍ତି । ଆଗକୁ ଏହାକୁ ଆହୁରି  ଭଲ କରି ଆୟୋଜନ କରାଯିବ  ବୋଲି କିଛି ସେବାୟତ କହିଛନ୍ତ ।

You Can Read :

ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ମହାଦେବ ଓ ମା' ପାର୍ବତୀଙ୍କ ବିବାହ, ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଶେଷ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.