ଜିଲ୍ଲା PEO ସଂଘ ବୈଠକ: ପ୍ରସ୍ତୁତ ହେଲା ୪ ଦଫା ସମ୍ୱଳତି ଦାବିପତ୍ର; ଡିସେମ୍ୱର ୩୧ରେ ବିକ୍ଷୋଭ

Published By : Prameya-News7 Bureau | December 06, 2022 IST

ଭଞ୍ଜନଗର ୦୬/୧୨: ବହୁ ଦିନର ନିରବତା ପରେ ମଙ୍ଗଳବାର ପୁଣି ତେଜିଛନ୍ତି ଗଞ୍ଜାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସଂଘ। ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ରେ ଜିଲ୍ଲାର ସମସ୍ତ ପିଇଓମାନେ ଏକାଠି ହୋଇ ବୈଠକ କରି ସରକାରଙ୍କ ପାଇଁ ୪ ଦଫା ବିଶିଷ୍ଟ ଏକ ଦାବି ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ସେମାନେ ସରକାରୀ ଗୁରୁତ୍ୱପୂର୍ଣ୍ଣ କାମ କରୁଥିଲେ ମଧ୍ୟ ସରକାର ସେମାନଙ୍କୁ ଅବହେଳା କରୁଥିବା ସଂଘର କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ତେଣୁ ସମସ୍ତେ ଏକାଠି ହୋଇ ଡ଼ିସେମ୍ବର ୩୧ରେ ଭୁବନେଶ୍ୱର ରାଜରାସ୍ତରେ ବିକ୍ଷୋଭ  କରିବେ ବୋଲି ନିଷ୍ପତି ନେଇଛନ୍ତି।

ପିଇଓଙ୍କ ଶିକ୍ଷାଗତ ଯୋଗ୍ୟତା +୨ରୁ +୩ କରାଯାଇ ଦରମା ବଢ଼ାଇବା, ୧୦ ବର୍ଷ ପରେ ପିଇଓଙ୍କୁ ପଦନ୍ନୋତି ଦେଇ ଦରମା ବଢ଼ାଇବା, ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗର ପ୍ରସ୍ତାବିତ କ୍ୟାଡର ରୁଲ ଅନୁସାରେ ପଞ୍ଚାୟତ ପିଇଓଙ୍କୁ ଅନ୍ତର୍ଭୁକ୍ତ କରିବା, ସମସ୍ତ ପିଇଓଙ୍କୁ ପେନସନ ଦେବା ସହ ଅବସରପ୍ରାପ୍ତ ପିଇଓଙ୍କୁ ପରିବାର ପେନସନ ଦେବାକୁ ପିଇଓମାନେ ଦାବି କରିଛନ୍ତି l ଏଥିରେ ଜିଲ୍ଲା ସଭାପତି ବସନ୍ତ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ କମଳକାନ୍ତ ପଣ୍ଡା, ଯୋଗ ଦେବା ସହ ରାଜ୍ୟ ଅର୍ଥନୀତି କମିଟି ଅଧ୍ୟକ୍ଷ ନାରାୟଣ ସାହୁ ଯୋଗ ଦେଇ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି। ତାଙ୍କ ଦାବି ସରକାର ପୂରଣ ନ କଲେ ସେମାନେ ସମସ୍ତେ ଇସ୍ତଫା ଦେବେବୋଲି ଚେତାବନୀ ଦେଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.