ବାହୁଡାଯାତ୍ରା ନୀତି ସଅଳ କରିବାକୁ ପ୍ରଶାସନର ପ୍ରସ୍ତୁତି, ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ

Published By : Prameya-News7 Bureau | July 06, 2022 IST

ପୁରୀ ୬।୭: ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ମଙ୍ଗଳବାର ହେରାପଞ୍ଚମୀ ଅବସରରେ ଅଭିମାନିନୀ ମା’ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିବା ପରେ ଷଷ୍ଠ ଦିବସରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆଉ ଦିନକ ପରେ ଅର୍ଥାତ ଆସନ୍ତା ୮ ତାରିଖରେ ଆଡ଼ପ ମଣ୍ଡପରେ ନବମୀ ତଥା ସନ୍ଧ୍ୟା ଦର୍ଶନ ଅବସରରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ। ଏହାପରେ ୯ ତାରିଖ ବାହୁଡା଼ ପାଇଁ ସମସ୍ତ ନୀତିକାନ୍ତି କରାଯିବ।

ରଥଯାତ୍ରା ପରି ବାହୁଡା଼ ଯାତ୍ରାରେ ସଅଳ ନୀତିକାନ୍ତି କିଭଳି କରାଯିବ ସେନେଇ ଜିଲ୍ଲପାଳଙ୍କ ସହ ଦଇତାପତି ନିଯୋଗ ଆଲୋଚନା କରିଛନ୍ତି। ୧୦ ତାରିଖ ସୁନାବେଶ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ କରିବା ପାଇଁ ଲକ୍ଷ ରଖିଛି ଦଇତାପତି‌ ନିଯୋଗ।

ଦୁଇବର୍ଷ ପରେ ଭକ୍ତଙ୍କ ମେଳରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେଉଥିବାରୁ ସୁନାବେଶରେ ପ୍ରାୟ ୧୦ରୁ ୧୫ଲକ୍ଷ ଭକ୍ତଙ୍କ ସମାଗମ ହେବ। ମହାପ୍ରଭୁଙ୍କ ଏହି ଅପୂର୍ବ ସୁନାବେଶ ପ୍ରତିଟି ଭକ୍ତ ଯେଭଳି ଦର୍ଶନ କରିପାରିବେ।  ସେଥିପାଇଁ ରାତି ୧୨ଟା କିମ୍ବା ୧ଟା ପର୍ଯ୍ୟନ୍ତ ଦର୍ଶନର ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ସୁନାବେଶ ସମୟରେ ରଥ ଉପରେ ଥିବା ବିଗ୍ରହଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ। ରଥରେ ବିରାଜିତ ବିଗ୍ରହଙ୍କ ଉଭୟ ପାର୍ଶ୍ବରେ ପ୍ରଥମ ଥର ପାଇଁ ପାଇପ୍ ଲଗାଯିବ। ଫଳରେ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶକୁ ଅତି ସୁନ୍ଦର ଭାବେ ଦର୍ଶନ କରିପାରିବେ।

ରଥ ଉପରକୁ ସେବାୟତମାନେ ମୋବାଇଲ ନେଉଥିଲେ ମଧ୍ୟ ବିଗ୍ରହଙ୍କ ସମ୍ମୁଖରେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେ ନାହିଁ। ଏଥିପାଇଁ ସମସ୍ତ ସେବାୟତମାନଙ୍କୁ ଅବଗତ କରାଯାଇଛି। ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ଅବସରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଦର୍ଶନ, ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ଓ ସଭାପତି।‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.