ପ୍ରତିଦିନ ଗ୍ରାହକ ବଜାରରେ ଠକାମିର ଶିକାର ହେଉଛି : ଜାଣନ୍ତୁ କେମିତି ଗ୍ରାହକକୁ ମିଳିବା କଥା ସୁରକ୍ଷା ଆଉ ମିଳୁଛି କ’ଣ ?
5/11/2018 at 6:13 PM

ବଲାଙ୍ଗିର ୫|୧୧ : ୩୨ବର୍ଷ ପରେ ମନେ ପଡ଼ିଲା ଗ୍ରାହକଙ୍କ ସୁରକ୍ଷା କଥା । ଗ୍ରାହକ ସୁରକ୍ଷା ଆଇନ ବୋଲି କିଛି ଅଛି ଯାହାକୁ କଡ଼ାକଡ଼ି ଲାଗୁ କରିବା ଜିଲ୍ଲା ପ୍ରଶାସନର ଦାୟିତ୍ବ ଆଉ କର୍ତ୍ତବ୍ୟ, ସେକଥା ଏବେ ବଲାଙ୍ଗିର ଜିଲ୍ଲା ପ୍ରଶାସନକୁ ମନେ ପଡ଼ିଛି । ଗ୍ରାହକମାନେ ବଜାରରୁ କିଣୁଥିବା ସାମଗ୍ରୀର ମାନ କ’ଣ, ଦାମ୍ ଅନୁଯାୟୀ ଉଚିତ୍ ଜିନିଷ ମିଳୁଛି କି ନାହିଁ, ଗ୍ରାହକମାନେ କେଉଁଠି ଠକାମୀର ଶିକାର ହେଉଛନ୍ତି କି ନାହିଁ ତା’ ଉପରେ ଏବେ କଡ଼ା ନଜର ରଖିବ ପ୍ରଶାସନ । ଯାହା ହେଉ ୩୨ବର୍ଷ ଲାଗିଥିଲେ ମଧ୍ୟ ଜିଲ୍ଲାସ୍ତରୀୟ କଞ୍ଜୁମର ପ୍ରୋଟେକ୍ସନ କାଉନସିଲ ବୈଠକ ହୋଇଛି ।
ଲୋକ ହାଉଜାଉ । ବେପାର ବି ବିନ୍ଦାସ ଚାଲିଛି । ହେଲେ ବିକ୍ରି ହେଉଥିବା ଜିନିଷର ଦାମ୍ ମୁତାବକ ମାନ ପରଖିବାକୁ କେହି ନାହାନ୍ତି । ଅଳ୍ପ କିଛି ସଚେତନ ଗ୍ରାହକଙ୍କୁ ଛାଡ଼ି ଦେଲେ ପ୍ରାୟ ଅନେକ ସମୟରେ ଲୋକେ ମାର୍କେଟରୁ ବିଭିନ୍ନ ଜିନିଷ କିଣି ଠକାମୀର ଶିକାର ହେଉଛନ୍ତି । କିନ୍ତୁ କାହାକୁ କହିବେ, କିଏ ଶୁଣିବ ତାଙ୍କ କଥା, ଅଳ୍ପ କିଛି ଟଙ୍କା ପାଇଁ କେତେ ଦଉଡ଼ିବେ ଏମିତି କିଛି ଭାବି ଚୁପ୍ ବସିଯାଉଛି । ପ୍ରଶାସନ ସ୍ତରରେ ଏସବୁର ତଦାରଖ ହେବାର ନିୟମ ଥିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଦୀର୍ଘ ୩୨ ବର୍ଷ ପରେ ନିଜର ଦାୟିତ୍ବ ଆଉ କର୍ତ୍ତବ୍ୟ କଥା ମନେ ପକାଇଛି । ଆଉ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ କିଛି ଗ୍ରାହକ ଓ ବ୍ୟବସାୟୀଙ୍କୁ ସାଙ୍ଗରେ ନେଇ ଜିଲ୍ଲାସ୍ତରୀୟ କଞ୍ଜୁମର ପ୍ରୋଟେକ୍ସନ କାଉନସିଲ ବୈଠକର ଆୟୋଜନ କରିଛି । ଆଉ ଚଳିତ ବର୍ଷଠାରୁ ଏଥି ଲାଗି ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ତିଆରି କରିବାକୁ ଯୋଜନା କରିବା ସହ ଲୋକଙ୍କୁ ସଚେତନ କରିବାକୁ ଚିନ୍ତା କରିଛି ।
ବିଭିନ୍ନ ସମୟରେ ଗ୍ରାହକ ଗାଡି, କପଡା, ସୁନା ରୂପା କିମ୍ବା ଖାଇବା ଜିନିଷ କିଣି ଠକାମିର ଶିକାର ହେଉଛନ୍ତି । ଅନେକ ସମୟରେ ଉଚିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ଦେଇ ସାମଗ୍ରୀ କିଣୁଛନ୍ତି। ହେଲେ କିଛି ବି କରିପାରୁନାହାନ୍ତି । ଜଣେ ଗ୍ରାହକ ଯିଏ ଗାଡ଼ି କିଣିବା ବେଳେ ଇନସ୍ୟୁରାନ୍ସ୍ କରିଥିଲେ । ହେଲେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ମରାମତି ଖର୍ଚ୍ଚ ବାବଦକୁ ୮୦ହଜାର ଟଙ୍କା ବଦଳରେ ପାଇଛନ୍ତି ମାତ୍ର ୩୦ହଜାର ଟଙ୍କା । ଖାଲି ଏଇ ଗୋଟିଏ ଉଦାହରଣ ନୁହେଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତେଲ ଲୁଣଠୁ ଆରମ୍ଭ କରି ପେଟ୍ରୋଲ, କିରୋସିନ ପର୍ଯ୍ୟନ୍ତ ସବୁଠି ସେ ମାପ ଓଜନ ହେଉ କି ଜିନିଷର କ୍ବାଲିଟି ଏବଂ କ୍ବାଣ୍ଟିଟି ସବୁଠି ସବୁବେଳେ ଠକାମୀର ଶିକାର ହେଉଛନ୍ତି ଗ୍ରାହକ । ଆଉ ମାଲେମାଲ ହେଉଛନ୍ତି ବ୍ୟବସାୟୀ । ଗ୍ରାହକ ସୁରକ୍ଷା ଆଇନକୁ କଡ଼ାକଡ଼ି ଲାଗୁକଲେ ଅନ୍ତତଃ ଏଭଳି ଠକାମିକୁ ରୋକାଯାଇପାରିବ ଭାବି ନିଜକୁ ଆଶ୍ବାସନ ଦେଉଛନ୍ତି ବଲାଙ୍ଗିରବାସୀ ।
ଯାହା ହେଉ ୩୨ ବର୍ଷ ପରେ ବଲାଙ୍ଗିର ଜିଲ୍ଲାପ୍ରଶାସନର ନିଜ ଭାଙ୍ଗିଛି । ଆଉ ଗ୍ରାହକଙ୍କ ହି କଥା ଚିନ୍ତା କରି ପ୍ରଶାସନ ଅନ୍ତତଃ ବୈଠକ କରି ଯୋଜନା ପ୍ରସ୍ତୁତ କରିଛି । ହେଲେ ଏବେ ବି ଅନେକ ଜିଲ୍ଲା ପ୍ରଶାସନ ପାଖରେ ଏ ସମ୍ପର୍କରେ ଚିନ୍ତା କରିବାକୁ ସମୟ ନାହିଁ କି ଆନ୍ତରିକତା ମଧ୍ୟ ନାହିଁ । ସରକାରୀ ନିୟମ ତା’ ବାଟରେ ଆଉ ପ୍ରଶାସନ ତା’ ବାଟରେ । ଗ୍ରାହକ ଠକାମୀର ଶିକାର ହେଲେ କାହାର ଯାଏ ଆସେ କେତେ ?