ଭଦ୍ରକ ଜିଲ୍ଲା କଂଗ୍ରେସର ଦାବି: ୩ଟି ଦାବି ପୂରଣ ନହେଲେ ଜିଲ୍ଲା ବନ୍ଦ ଡାକରା ଦିଆଯିବ
8/11/2020 at 6:01 PM

ଭଦ୍ରକ୮/୧୧: ୧୫ ଦିନରେ ୩ଟି ଦାବି ପୂରଣ କର, ନହେଲେ ପ୍ରଥମେ ଭଦ୍ରକ ସହରକୁ ବନ୍ଦ କରାଯିବ ଏବଂ ଆବଶ୍ୟକ ପଡିଲେ ସମ୍ପୂର୍ଣ୍ଣ ଜିଲ୍ଲାକୁ ବନ୍ଦ କରିବ କଂଗ୍ରେସ। ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନବ ନିଯୁକ୍ତ କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ଦାସ ଏହି ସୂଚନା ଦେଇଛନ୍ତି ।

ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟ ଦାବି ରଖିଥିବା ବେଳେ କେବଳ ସୁପର ସ୍ପେସିଆଲିଟି ମେଡିକାଲ ପ୍ରତିଷ୍ଠା ନ କରି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ରଖିଛି । ସେହି ଭଳି ଦ୍ଵିତୀୟ ଦାବି, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭେଣ୍ଟିଲେଟର ଥିଲେ ମଧ୍ୟ ସେଗୁଡିକୁ ପରିଚାଳନା କରାଯାଉନଥିବା କଂଗ୍ରେସ ଅଭିଯୋଗ କରିଛି।
ତୃତୀୟରେ କୋଭିଡ ପରିଚାଳନାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଜିଲ୍ଲାବାସୀଙ୍କ ସମ୍ମୁଖରେ କୋଭିଡ ପରିଚାଳନାରେ ଖର୍ଚ୍ଚ ଅର୍ଥର ହିସାବ ରଖିବା ପାଇଁ ଦାବି କରିଛି କଂଗ୍ରେସ। ତିନି ଦାବି ନେଇ ଭଦ୍ରକ ଜିଲ୍ଲାପାଳଙ୍କୁ ଖୁବ ଶୀଘ୍ର କଂଗ୍ରେସ ଟିମ୍ ଭେଟି ନିଜ ଦାବି ଜଣାଇବ। ଦାବି ପୂରଣ ନହେଲେ ୧୫ ଦିନ ପରେ ପ୍ରଥମେ ଭଦ୍ରକ ସହରକୁ ବନ୍ଦ କରିବ।