ବଲାଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ରେ ପୁଣି ଶିଶୁ ବିକ୍ରି ଅଭିଯୋଗ। ତେବେ ସଠିକ୍ ସମୟରେ ଜିଲ୍ଲା ଶିଶୁ ଅଧିକାରୀଙ୍କ ଉଚିତ୍ ପଦକ୍ଷେପ ଯୋଗୁଁ ଶିଶୁ ବିକ୍ରି ଘଟଣାକୁ ରୋକା ଯାଇ ପାରିଛି।
ସୂଚନା ଅନୁଯାୟୀ, ଟିଟିଲାଗଡ଼ ସହର ଆଦିବାସୀ ପଡାର କମଳା ମାଝୀ ଗତ ୪ ଦିନ ତଳେ ପ୍ରସବ ବେଦନା ଯୋଗୁଁ ଟିଟିଲାଗଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଗତକାଲି ଅସ୍ତ୍ରୋପଚାରରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଏ ନେଇ ଶିଶୁକୁ ଅନ୍ୟ କାହାକୁ ଅଢେଇ ଲକ୍ଷ ଟଙ୍କାରେ ମାଆ ବିକ୍ରି କରିବାକୁ ଯାଉଥିବା ସୂଚନା ପାଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଏହାପରେ ଟିଟିଲାଗଡ଼ ଯାଇ ସେଠାରେ ଥାନା ଅଧିକାରୀଙ୍କୁ ଜଣାଇବା ସହ ଡାକ୍ତରଖାନାକୁ ଯାଇ ଯାଞ୍ଚ କରିଥିଲେ। ଘଟଣା ସତ ଜାଣିବା ପରେ ଆଜି ମାଆ ଓ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି।
ତେବେ ଶିଶୁ ପୁତ୍ରକୁ କାହାକୁ ବିକ୍ରି କରିବାର ଯୋଜନା ଥିଲା ସେନେଇ ଛାନଭିନ କରାଯାଇଥିଲେ ହେଁ ତାହା ଜଣାପଡିନି। ଏ ଦିଗରେ ଟିଟିଲାଗଡ଼ ପୋଲିସ ତଦନ୍ତ ଚଳାଇଛି। ଏପଟେ ମାଆ ଓ ଶିଶୁର ଅବସ୍ଥା ଠିକ ଥିବା ବେଳେ ଉଭୟଙ୍କୁ ବର୍ତ୍ତମାନ ପରିସ୍ଥିତିରେ ସ୍ୱଧାର ଗୃହରେ ରଖାଯିବା ନେଇ କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ତେବେ ଶିଶୁ ବିକ୍ରି ପୂର୍ବରୁ ଲୋକଙ୍କ ସଚେତନତା କାମ ଦେଇଥିବା ବେଳେ ଲୋକଙ୍କ ଖବର ପାଇ ଆଜି ଶିଶୁ ସୁରକ୍ଷା ବିଭାଗ ଶିଶୁ ବିକ୍ରି ରୋକି ପାରିଥିବା କହିଛନ୍ତି।