ବାହାନଗା ଟ୍ରେନ୍ ଟ୍ରାଜେଡି: ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ହେଲେ କଥା
2/06/2023 at 10:04 PM

ସୋର: ବାଲେଶ୍ଵର ବାହାନଗା ନିକଟରେ ଭୟାନକ ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ‘ଓଡ଼ିଶାରେ ଟ୍ରେନ ଦୁର୍ଘଟଣା ବିଷୟ ଜାଣି ବ୍ୟଥିତ ହୋଇଛି । ଦୁଃଖର ଏହି ମୁହୂର୍ତ୍ତରେ ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହ ରହିଛି । ଆହତଙ୍କୁ ଶୀଘ୍ର ଆଶୁଆରୋଗ୍ୟ କାମନା କରୁଛୁ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛି ଏବଂ ସ୍ଥିତିର ସମସ୍ତ ସୂଚନା ଦିଆଯାଉଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ଏବଂ ପ୍ରଭାବିତ ଲୋକଙ୍କୁ ସବୁ ସମ୍ଭବ ସହାୟତା ପ୍ରଦାନ କରାଯାଉଛି’ ।
Distressed by the train accident in Odisha. In this hour of grief, my thoughts are with the bereaved families. May the injured recover soon. Spoke to Railway Minister @AshwiniVaishnaw and took stock of the situation. Rescue ops are underway at the site of the mishap and all…
— Narendra Modi (@narendramodi) June 2, 2023
ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ବେଙ୍ଗାଲୁରୁ-ହାଓ୍ଵଡ଼ା ଏକ୍ସପ୍ରେସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ପିଟିଆଇ ସୂତ୍ରରୁ ପ୍ରକାଶ । ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ସିଏଚସି, ଗୋପାଳ ସିଏଚସି ଏବଂ ଖାଣ୍ଟାପାଡ଼ା ପିଏଚସି ପଠାଯାଇଛି। ଟ୍ରେନର ବଗି ଓଲଟି ଯିବାରୁ ଏହା ତଳେ ଏବଂ ଭିତରେ ଶତାଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ସଦ୍ୟତମ ସୂଚନା ଅନୁଯାୟୀ ଡାଉନ ଲାଇନ୍ରେ ଯାଉଥିଲା ବେଙ୍ଗାଲୁରୁ-ହାଓ୍ଵଡ଼ା ଏକ୍ସପ୍ରେସ୍(୧୨୮୬୪)। ବେଙ୍ଗାଲୁରୁ-ହାଓ୍ଵଡାର ୨ଟି ବଗି ଲାଇନଚ୍ୟୁତ୍ ହୋଇଥିଲା। ସେତିକି ବେଳେ ଅପଲାଇନରେ ସାଲିମାରରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍(୧୨୮୪୧) ବେଙ୍ଗାଲୁରୁ-ହାଓ୍ଵଡ଼ା ଏକ୍ସପ୍ରେସ୍ର ଲାଇନଚ୍ୟୁତ୍ ବଗିକୁ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା କରମଣ୍ଡଳର ୧୫ ବଗି ଲାଇନଚ୍ୟୁତ୍ ହୋଇଛି।
ଟ୍ରେନ ତଳେ ଅନେକ ଯାତ୍ରୀ ଚାପି ହୋଇ ରହିଥିବା ଜଣା ପଡ଼ିଛି। ଟ୍ରେନରେ ଫସିଥିବା ଯାତ୍ରୀଙ୍କ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ରେଳ କର୍ମଚାରୀ, ଉଦ୍ଧାରକାରୀ ଟିମ୍ ଓ ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ୍ କରାଇଛନ୍ତି। ତେବେ ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଉଦ୍ଧାରକାର୍ଯ୍ୟ ପାଇଁ ଏନଡିଆରଏଫକୁ ଘଟଣାସ୍ଥଳକୁ ପଠାଯାଇଛି।
ଟ୍ରେନ ଦୁର୍ଘଟଣା ନେଇ ଜରୁରୀକାଳୀନ ନଂ ଜାରି କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ଯୋଗାଯୋଗ ପାଇଁ ଜରୁରୀକାଳୀନ ନଂ ୬୭୮୨୨୬୨୨୮୬ ଜାରି କରାଯାଇଛି। କଟକ ଏସସିବି ମେଡିକାଲ୍କୁ ଆଲର୍ଟ ମୋଡରେ ରଖାଯାଇଛି। ଘଟଣାସ୍ଥଳକୁ ଯିବାକୁ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ୪ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲଓ୍ଵନ୍ତ ସିଂ, ଅରବିନ୍ଦ ଅଗ୍ରଓ୍ଵାଲଙ୍କ ସହ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କୁ ଉଦ୍ଧାର କାର୍ଯ୍ୟ ଏବଂ ହସ୍ପିଟାଲ୍ ତଦାରଖ ପାଇଁ ଦାୟିତ୍ଵ ଦିଆଯାଇଛି।
ହେଲ୍ପଲାଇନ୍ ନମ୍ବର
ଏମରଜେନ୍ସି କଣ୍ଟ୍ରୋଲ ରୁମ- ୬୭୮୨୨୬୨୨୮୬
ହାଓ୍ଵଡ଼ା- ୦୩୩-୨୬୩୮୨୨୧୭
ଖଡ଼ଗପୁର- ୮୯୭୨୦୭୩୯୨୫, ୯୩୩୨୩୯୨୩୩୯
ବାଲେଶ୍ଵର- ୮୨୪୯୫୯୧୫୫୯, ୭୯୭୮୪୧୮୩୨୨
କୋଲକାତା ସାଲିମାର- ୯୯୦୩୩୭୦୭୪୬
ରେଳ ସହାୟତା- ୦୪୪-୨୫୩୫୪୭୭୧
ଚେନ୍ନାଇ ସେଣ୍ଟ୍ରାଲ ରେଲଓ୍ଵେ- ୦୪୪-୨୫୩୩୦୯୫୨, ୦୪୪-୨୫୩୩୦୯୫୩ ଏବଂ ୦୪୪-୨୫୩୫୪୭୭୧