ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜାଏଣ୍ଟନ୍ସର ମାଲିକ ସଞ୍ଜୀବ ଗୋଏନିକା ଦଳର ଅଧିନାୟକ କେଏଲ ରାହୁଲଙ୍କ ପାଇଁ ମେ ୧୩ ତାରିଖରେ ଡିନର ପାର୍ଟିର ଆୟୋଜନ କରିଛନ୍ତି। ଏହି ପାର୍ଟିରେ ଗୋଏନିକା ବେଶ ଉତ୍ସାହର ସହ କେଏଲ ରାହୁଲଙ୍କ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ଫଟୋ ଭାଇରାଲ୍ ହୋଇଛି। ଏହି ଫଟୋ ଦେଖି କ୍ରିକେଟ୍ ପ୍ରେମୀ ଖୁସି ବ୍ୟକ୍ତ କରିଛନ୍ତି। ସଞ୍ଜୀବ ଦିଲ୍ଲୀ ସ୍ଥିତ ନିଜର ବାସଭବନରେ କେଏଲଙ୍କ ଏହି ପାର୍ଟିର ଆୟୋଜନ କରିଥିଲେ। ଏହି ସମୟରେ କେଏଲ ରାହୁଲ ବେଶ ଖୁସି ଜଣା ପଡୁଥିଲେ।
Also read: ଜଷ୍ଟିନ ଲାଙ୍ଗର ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍?
କେଏଲଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ସବୁ ଗୁଜବ, କଳ୍ପନା ଜଳ୍ପନା ଉପରେ ବିରାମ ଲାଗିଛି। କାରଣ ହାଇଦ୍ରାବାଦ ବିପକ୍ଷରେ ୧୦ ଓ୍ଵିକେଟ୍ରୁ ହାରିବା ପରେ ପଡ଼ିଆରେ କ୍ୟାମେରା ସାମ୍ନାରେ ସଞ୍ଜୀବ ଗୋଏନିକା ଯେଉଁଭଳି ଭାବେ କେଏଲ ରାହୁଲଙ୍କ ପ୍ରତି ବ୍ୟବହାର କରିଥିଲେ ତାକୁ ନେଇ ବିବାଦ ଲାଗି ରହିଥିଲା। କୁହାଯାଉଥିଲା କେଏଲ ରାହୁଲଙ୍କୁ ଅଧିନାୟକ ପଦରୁ ହଟାଯାଇପାରେ। ମାତ୍ର ଗୋଏନିକା ଓ ରାହୁଲଙ୍କ ମଧ୍ୟରେ ସାକ୍ଷାତ ଏସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛି।
କେଏଲ ରାହୁଲଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅଥିଆ ସେଟ୍ଟୀ ନିକଟରେ ଏକ ପୋଷ୍ଟ ସେୟାର କରିଥିଲେ। ସେଥିରେ ସେ ସଞ୍ଜୀବ ଗୋଏନିକା ଓ କେଏଲ ରାହୁଲଙ୍କ ବିବାଦ ବିଷୟରେ କେବଳ ଗୋଟିଏ ଧାଡ଼ି ଲେଖିଥିଲେ, ଯାହା ବହୁତ କିଛି ବର୍ଣ୍ଣନା କରୁଥିଲା। ନିଜ ପୋଷ୍ଟରେ ଆଥିଆ ଲେଖିଛନ୍ତି ଝଡ଼ ପରେ ଶାନ୍ତି। ତାଙ୍କର ଏହି ଲେଖାରୁ ସ୍ପଷ୍ଟ ଭାବେ ବୁଝାଯାଇ ପାରିବ ଯେ, କେଏଲ ରାହୁଲ ଓ ସଞ୍ଜୀବଙ୍କ ମଧ୍ୟରେ ବର୍ତ୍ତମାନ ସବୁକିଛି ଠିକ୍ ଅଛି।
ମେ ୮ ତାରିଖରେ ହାଇଦ୍ରାବାଦ ଓ ଲକ୍ଷ୍ନୌ ମଧ୍ୟରେ ଖେଳା ଯାଇଥିବା ଆଇପିଏଲ୍ର ୪୮ତମ ମ୍ୟାଚ୍ ପରେ କେଏଲ ରାହୁଲ ଓ ମାଲିକ ସଞ୍ଜୀବ ଗୋଏନିକାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ସଞ୍ଜୀବ ରାହୁଲଙ୍କ ଉପରେ ନିଜର ଅସନ୍ତୋଷ ଝାଡୁଥିବା ତାଙ୍କ ଆବଭାବରୁ ଜଣା ପଡୁଥିଲା। ଏହାକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା। କିନ୍ତୁ ଲକ୍ଷ୍ନୌର ସହାୟକ କୋଚ୍ ଲାନ୍ସ କ୍ଲୁଜନର କହିଥିଲେ, ଏହା କୌଣସି ବଡ଼ କଥା ନୁହେଁ, ଏହା ତ ସାଧାରଣ କଥା।