କାମରେ ଅସନ୍ତୁଷ୍ଟ ଥିବାରୁ ସାଥି ପୁଲିସ ଅଫିସରଙ୍କୁ ୨ ଘଣ୍ଟା ପାଇଁ ଜେଲ୍‌ରେ ପୂରାଇ ଲକ୍ କରିଦେଲେ ଏସ୍‌ପି, ଭିଡିଓ ଭାଇରାଲ୍

Published By : Prameya-News7 Bureau | September 11, 2022 IST

ପାଟନା: ତଳ କର୍ମଚାରୀଙ୍କ ପ୍ରତି ଉପରକର୍ମଚାରୀଙ୍କର ବ୍ୟବହାର ପୁଲିସ ବିଭାଗକୁ ଅନେକ ଥର ବଦନାମ କରିସାରିଛି। ଏଥର ବିହାରରେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ନିନ୍ଦନୀୟ। କାମରେ ଢିଲା ହେବାରୁ ପୁଲିସ ବାବୁ ନିଜେ ବିଚାରପତି ହୋଇ ତଳ ଅଫିସରଙ୍କୁ ଦେଇଛନ୍ତି ଜେଲ୍ ଦଣ୍ଡ। ଭିଡିଓ ଭାଇରାଲ ହେବାରୁ ଘଟଣା ଚର୍ଚ୍ଚାକୁ ଆସିଛି।

ବିହାରର ନୱାଦା ଜିଲ୍ଲାରେ ଏଭଳି ଘଟଣା ଘଟିଛି। ସାଥୀ ପୁଲିସ କର୍ମୀଙ୍କ କାମରେ ଅସନ୍ତୁଷ୍ଟ ହେବାରୁ ୫ଜଣ ପୁଲିସ ଅଫିସରଙ୍କୁ ଦୁଇ ଘଣ୍ଟା ପାଇଁ ଜେଲ୍‌ରେ ଭର୍ତ୍ତି କରିଦେଇଛନ୍ତି ଏସ୍‌ପି। ଯାହାର ଭିଡିଓ ଭାଇରାଲ ହୋଇଛି। ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ବହୁଳ ଭାବରେ ଶେୟାର କରାଯାଉଛି। ଭିଡିଓରେ ଜେଲ୍‌ରେ ବନ୍ଦୀଥିବା ପୁଲିସ ଅଫିସର ପରସ୍ପର ସହ କଥା ହେଉଥିବା ଦେଖିବାକୁ ମିଳିଛି।

wp:html /wp:html

ନୱାଦା ଏସ୍‌ପି ଗୌରଭ ମଙ୍ଗଳ ତିନିଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ଓ ଦୁଇ ଜଣ ସବ୍‌-ଇନ୍ସପେକ୍ଟରଙ୍କ କାମରେ ଅସନ୍ତୁଷ୍ଟ ଥିଲେ। ଫଳରେ ରାଗିଯାଇ ୫ ଜଣ ପୁଲିସ ଅଫିସରଙ୍କୁ ଗୁରୁବାର ରାତିରେ ୨ ଘଣ୍ଟା ପାଇଁ ଜେଲ୍‌ରେ ପୂରାଇ ଦେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ରିପୋର୍ଟରମାନେ ଏସ୍‌ପିଙ୍କୁ ଯୋଗାଯୋଗ କରିବାରୁ ସେ ଖବରକୁ ଗୁଜବ ବୋଲି କହିଛନ୍ତି।

ଏହି ଘଟଣାରେ ବରିଷ୍ଟ ପୁଲିସ ଅଧିକାରୀମାନେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ବିହାର ପୁଲିସ ଆସୋସିଏସନ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ଆସୋସିଏସନ ସଭାପତି ମୃତ୍ୟୁଞ୍ଜୟ କୁମାର ସିଂହ କହିଛନ୍ତି ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଏସ୍‌ପିଙ୍କୁ ଯୋଗାଯୋଗ କରାଯାଉଛି।

ବାରମ୍ବାର କଲ୍‌ କଲା ପରେ ଏସ୍‌ପି ଏହାର ଉତ୍ତର ଦେଉ ନାହାନ୍ତି। ଏଭଳି ଘଟଣା ବିହାର ପୁଲିସର ଛବି ଖରାପ କରୁଛି। ଏହା ଏକଛତ୍ରବାଦ ଶାସନର ନୀତିକୁ ଦର୍ଶାଉଛି। ତେଣୁ ସିସିଟିଭିର ଫୁଟେଜ୍ ଯାଞ୍ଚ କରି ଏହାର ନ୍ୟାୟିକ ତଦନ୍ତ ହେବା ସହ ଆପିସି ଧାରାରେ ମାମଲା ରୁଜୁ ହେବା ଦରକାର ବୋଲି ମୃତ୍ୟୁଞ୍ଜୟ କୁମାର ସିଂହ କହିଛନ୍ତି।

ଏହି ଘଟଣା ପରେ ବିହାର ମୁଖ୍ୟ ଶାସନ ସଚିବ ଅମୀର ସୁଭାନୀ ସମସ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଚିଠି ଜାରି କରି ଚେତାବନୀ ଦେଇଛନ୍ତି। ତଳିଆ କର୍ମଚାରୀଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ବିନା କାରଣରେ ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିବା ଓ କର୍ମଚାରୀଙ୍କ ଅପମାନିତ କରିବାକୁ ସହ୍ୟ କରାଯାଇ ପାରିବ ନାହିଁ। ବିନା କାରଣରେ ସସ୍‌ପେଣ୍ଡ କରିବା ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ମାନସିକ ନିର୍ଯାତନା ଧରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।  


  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.