ବଡଚଣାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା : PHC ଗୁଡିକରେ ନାହାନ୍ତି ଡାକ୍ତର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥିତି ଦୟନୀୟ

Published By : Prameya-News7 Bureau | October 03, 2021 IST

ଚଣ୍ଡିଖୋଲ ୦୩/୧୦ : ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ବିଭିନ୍ନ ମେଡିକାଲର ଭିତ୍ତିଭୂମି ସଜାଡ଼ିବା ଦିଗରେ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ମେଡିକାଲରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି । ଯେଉଁଥି ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ମେଡିକାଲରେ ଡାକ୍ତର ନଥିବାରୁ ବଡଚଣା ବ୍ଲକରେ ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ୱାସ୍ଥ୍ୟସେବା ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଖଡିଅଙ୍ଗ ଠାରେ ଥିବା ବିରୂପା ଗେଙ୍ଗୁଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ପ୍ରତିଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ୫ଟି ପଂଚାୟତର ଲୋକ ନିର୍ଭର କରିଥାନ୍ତି । ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ରୋଗୀ ଆସିଥାନ୍ତି । ହେଲେ ବିଡମ୍ବନାର ବିଷୟ ମେଡିକାଲରେ ଡାକ୍ତର ନାହାନ୍ତି । ଫାର୍ମାସିଷ୍ଟଙ୍କୁ ନେଇ ଚାଲିଛି ରୋଗୀ ସେବା । ଯେଉଁଥି ପାଇଁ ବହୁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ଆଖପାଖ ଅଂଚଳରେ କାହାର ଦେହ ଖରାପ ହେଲେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯିବାକୁ ପଡୁଛି ଯାହାକି ଉକ୍ତ ମେଡିକାଲ ଠାରୁ ୨୦ କିଲୋମିଟର ଦୂର । ତେଣୁ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

wp:embed {"url":"https://youtu.be/gAMtRP9BUYk","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/gAMtRP9BUYk
/wp:embed

କେବଳ ଯେ ଏହି ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନୁହେଁ ଅନ୍ୟ କିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏମିତିକି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଆବଶ୍ୟକୀୟ ପଦବୀ ଖାଲି ପଡିଛି । ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଇଥିବା ବଡ଼ଚଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରଟି ବହୁ ଗୁରୁତ୍ୱ ବହନ କରେ । ବଡ଼ଚଣା ମେଡିକାଲରେ ୮ ଜଣ ଡାକ୍ତର ରହିବା ପାଇଁ ବ୍ୟବସ୍ଥା ଥିବାବେଳେ ଏବେ ଅଛନ୍ତି ମାତ୍ର ୫ ଜଣ । ଡାକ୍ତର ଅଭାବରୁ ରୋଗୀ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି ।

କେଉଁଠି ମେଡିକାଲରେ ଡାକ୍ତର ନାହାଁନ୍ତି ତ ଅନ୍ୟ କେଉଁଠି ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ସହ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । କେବଳ ଯେ ମେଡିକାଲର ଭିତ୍ତିଭୂମି ସୁଦୃଢ କରିଦେଲେ ହେବନି ମେଡିକାଲରେ ଥିବା ଡାକ୍ତର ପଦବୀ ଓ ବିଭିନ୍ନ ମୌଳିକ ସମସ୍ୟା ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଥିବା ବେଳେ ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ରଶ୍ମି ରଞ୍ଜନ ପଶାୟତ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.