୦, ୧୨, ୧୪ ଓ ୧୮ ରନ... ସଙ୍କଟରେ ଧାଓ୍ଵନଙ୍କ କ୍ୟାରିୟର ? ଦିନିକିଆ ପାଇଁ ଏହି ଖେଳାଳିଙ୍କ ପଲ୍ଲା ଭାରି

Published By : Prameya-News7 Bureau | December 12, 2021 IST

ନୂଆଦିଲ୍ଲୀ ୧୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଦେଶରେ ଖେଳାଯାଉଥିବା ବିଜୟ ହଜାରେ ଟ୍ରଫି ଉପରେ ସଭିଙ୍କ ନଜର ରହିଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନ ଚୟନ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ ରହିଛି। କୁହାଯାଉଥିଲା, ଶିଖର ଧାଓ୍ଵଙ୍କ ଦିନିକିଆ ଦଳରେ ପ୍ରତ୍ୟାବର୍ତ୍ତନ ହୋଇପାରେ ଏବଂ ସେ ଦକ୍ଷିଣ ଆଫ୍ରିକା ଗସ୍ତ କରି ପାରନ୍ତି।

ବିଜୟ  ହଜାରେ ଟ୍ରଫିରେ ଶିଖର ଧାଓ୍ଵନ ଖରାପ ଫର୍ମ ଦେଇ ସଂଘର୍ଷ କରୁଛନ୍ତି। ତାଙ୍କ ବ୍ୟାଟରୁ କୌଣସି ବଡ ସ୍କୋର ଦେଖିବାକୁ ମିଳିନାହିଁ। ଦିଲ୍ଲୀ ପକ୍ଷରୁ ଖେଳୁଥିବା ଧାଓ୍ଵନ ଗତ ଚାରୋଟି ଇନିଂସରେ ୧୮,୧୪, ୧୨ ଓ ୦ ରନ କରିଛନ୍ତି। ତେଣୁ ଧାଓ୍ଵନଙ୍କ କ୍ୟାରିୟର ବାଜିରେ ଲାଗି ଯାଇଛି। ତାଙ୍କର ଦଳକୁ ଫେରିବା ମୁସ୍କିଲ ଲାଗୁଛି।

ତେଣୁ ଶିଖର ଧାଓ୍ଵନଙ୍କୁ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ସଂଶୟ ଦେଖା ଦେଇଛି। କାରଣ ଅନ୍ୟପଟେ ଭେଙ୍କଟେଶ ଆୟର ଓ ଋତୁରାଜ ଗାଏକଓ୍ଵାଡ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଭଲ ପ୍ରଦର୍ଶନ କରିଛନ୍ତି। ଋତୁରାଜ ତିନୋଟି ଶତକ ଅର୍ଜନ କରି ସାରିଥିବା ବେଳେ ଆୟର ଏ ପର୍ଯ୍ୟନ୍ତ ୨ଟି ଶତକ ହାସଲ କରି ସାରିଲେଣି। ଏହି ପ୍ରଦର୍ଶନ ବଳରେ ଋତୁରାଜ ଗାଏକଓ୍ଵାଡ, ଭେଙ୍କଟେଶ ଆୟର ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଦଳ ଚୟନରେ ନିଜର ଦାବିଦାର ମଜବୁତ କରିଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଋତୁରାଜ ଗାଏକଓ୍ଵାଡ ଓପନର ଭାବେ ଏବଂ ଭେଙ୍କଟେଶ ଆୟର ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇବା ନେଇ ଆଶା ରଖିଛନ୍ତି।

ତୃତୀୟ ଓପନର କିଏ  ?

ଅସଲ ଲଢେଇ ଶିଖର ଧାଓ୍ଵନ ଓ ଋତୁରାଜ ଗାଏକଓ୍ଵାଡଙ୍କ ମଧ୍ୟରେ ହେବ। କାରଣ ଟିମ୍ ଇଣ୍ଡିଆ ପାଖରେ ପୂର୍ବରୁ ରୋହିତ ଶର୍ମା, କେଏଲ ରାହୁଲଙ୍କ ପରି ଓପନର ଅଛନ୍ତି। ଏମିତିରେ ଯଦି ତୃତୀୟ ଓପନରଙ୍କ ଚୟନ କରାଯାଏ ତେବେ ଚୟନକର୍ତ୍ତାଙ୍କୁ ଋତୁରାଜ ଗାଏକଓ୍ଵାଡ ଓ ଶିଖର ଧାଓ୍ଵନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ପଡିବ।

ଅନ୍ୟପଟେ ବିଜୟ ହଜାରେ ଟ୍ରଫିରେ ଭେଙ୍କଟେଶ ଆୟର କେବଳ ରନ କରି ନାହାନ୍ତି, ବରଂ ଓ୍ଵିକେଟ୍ ମଧ୍ୟ ନେଇଛନ୍ତି। ତେଣୁ ତାଙ୍କର ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ସମ୍ଭାବନା ଅଧିକ ରହିଛି।  ଭାରତୀୟ ଦଳ ପାଇଁ ଏହି ଗସ୍ତ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ରୋହିତ ଶର୍ମାଙ୍କ ଦିନିକିଆ ଦଳର ଅଧିନାୟକ ହେବା ପରେ ଏହା ପ୍ରଥମ ସିରିଜ୍ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.