ଟିଉସନ ଯିବା ବେଳେ ଅଘଟଣ; ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପିନେଲେ ଲୁଟେରା
19/08/2022 at 10:41 PM

ଭୁବନେଶ୍ୱର ୧୯/୦୮: କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଲୁଟେରା। ରେଳ ଷ୍ଟାଡିୟମ ଆଗରୁ ଜଣେ ଯୁବତୀଙ୍କ ଠାରୁ ଲୁଟେରା ମୋବାଇଲ ଫୋନ୍ ଝାମ୍ପିନେଇଛନ୍ତି। ରାଜଧାନୀରେ ପ୍ରତିଦିନ ଲୁଟେରାଙ୍କ ଲୁଟତରାଜ୍ ଜାରି ରହିଛି। କେତେବେଳେ ମୋବାଇଲ ତ ଆଉ କେତେବେଳେ ସୁନା ଅଳଙ୍କାର ଛିନ୍ତାଇ କରୁଛନ୍ତି ଅଭିଯୁକ୍ତା। ଏବେ ସବୁଠି ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳୁଛି। ଖବର ଅନୁସାରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରେଳ ଷ୍ଟାଡିୟମ୍ ସାମ୍ନାରେ ଏପରି ଅଘଟଣ ଦେଖିବାକୁ ମିଇଛି। ଟିଉସନ କରିବାକୁ ଯାଉଥିବା ଜଣେ ଯୁବତୀ ଲୁଟ୍ର ଶୀକାର ହୋଇଛନ୍ତି।
ଆଦିମାତା କଲୋନୀରେ ରହୁଥିବା ଜିନାରାଣୀ ମଣ୍ଡଳ ଅପରାହ୍ଣ ୪ଟା ବେଳେ ପାଖରେ ଥିବା ଏକ ଇନଷ୍ଟିଚ୍ୟୁଟକୁ ଟିଉସନ କରିବା ପାଇଁ ଯାଉଥିଲେ । ଏହି ସମୟରେ ବାଇକ୍ରେ ଦୁଇ ଲୁଟେରା ଆସି ରେଳଷ୍ଟାଡିୟମ ଆଗରୁ ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇ ଫେରାର ହୋଇ ଯାଇଛନ୍ତି। ଲୁଟ୍ ଉଦ୍ୟମ ବେଳେ ଯୁବତୀ ଜଣକ ବିରୋଧ ଓ ସଂଘର୍ଷ କରିଥିଲେ, କିନ୍ତୁ ଲୁଟେରାମାନେ ତାଙ୍କୁ କିଛି ବାଟ ଘୋଷାଡି ନେଇଥିଲେ ଯାହା ଦ୍ୱାରା ଯୁବତୀ ତଳେ ପଡି କ୍ଷତାକ୍ତ ହୋଇଯାଇଛନ୍ତି। ଖବର ପାଇ ପିସିଆର ଭ୍ୟାନ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି। ଏପରି ଘଟଣା ପରେ ପୋଲିସର ପେଟ୍ରୋଲିଂ ଓ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।