ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକାକୁ ଅସମ୍ମାନ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
26/01/2023 at 5:46 PM

ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକାକୁ ଅସମ୍ମାନ। ତାହାବି ପୁଣି ଶିକ୍ଷା ଅନୁଷ୍ଠାନରେ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପାଙ୍ଗାମ ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଆଜି ସକାଳେ ସେଠାକାର ପ୍ରଧାନ ଶିକ୍ଷକ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପତାକାଟି ତଳେ ଖସି ପଡିଥିଲା । ତେବେ ଶିକ୍ଷକଙ୍କ ଦାୟିତ୍ଵହୀନତା ଯୋଗୁଁ ଦିନ ତମାମ ଜାତୀୟ ପତାକାଟି ତଳେ ଝୁଲୁଥିବା ଦେଖିବାକୁ ମିଳିଛି।

ଆଜି ବିଦ୍ୟାଳୟରେ ସରସ୍ବତୀ ପୂଜା ଚାଲିଥିବା ବେଳେ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ଉପସ୍ଥିତ ରହିଛନ୍ତି ତଥାପି କାହାରି ନଜର ପଡିନାହିଁ ଜାତୀୟ ପତାକା ଉପରେ । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଶିକ୍ଷକଙ୍କ ଚେତା ପଶିଛି । ଆଉ ତୁରନ୍ତ ସେଠାରୁ ଜାତୀୟ ପତାକା ଟିକୁ ହଟାଇ ଦେଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ମଧ୍ୟ ଏହି ଭିଡିଓ ପହଞ୍ଚିଛି ତେବେ ଶିକ୍ଷା ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।