ଚାରି ହଜାର କର୍ମଚାରୀଙ୍କ ଛଟେଇ କରିବ ଡିଜନୀ, ସାମ୍ନାକୁ ଆସିଲା ବଡ଼ କାରଣ
19/03/2023 at 5:36 PM

ନୂଆଦିଲ୍ଳୀ, ୧୯/୦୩: ମନୋରଞ୍ଜନ ଜଗତର ଦିଗ୍ଗଜ କମ୍ପାନୀ ଡିଜନୀ ଏହାର ଚାରି ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଯୋଜନା କରୁଛି। ମିଡିଆ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ମ୍ୟାନେଜରଙ୍କୁ ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ଚିହ୍ନଟ କରିବାକୁ କହିଛି। ଏପ୍ରିଲ ମାସରେ କମ୍ପାନୀ ଏହି ଛଟେଇ କରିବ। ଅବଶ୍ୟ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ କର୍ମଚାରୀଙ୍କ ଛଟେଇ ଛୋଟ ଗ୍ରୁପ୍ରେ ହେବ କିମ୍ବା ଏକାଥରେ। ତେବେ ଆସନ୍ତା ଏପ୍ରିଲ ୩ ରେ ହେବାକୁ ଥିବା ବାର୍ଷିକ ବୈଠକରେ ଛଟେଇ ନେଇ ଘୋଷଣା କରାଯାଇପାରେ।
ସୂଚନାଯୋଗ୍ୟ, ଡିଜନୀ ଏହାର ପରିଚାଳନାରେ ଅଧିକ ସରଳ କରିବା ଦିଗରେ ଏହାର ବଜେଟ୍ରେ କାଟ୍ କରୁଛି ଏବଂ ଏହି କାରଣରୁ ଏତେ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ କରାଯାଉଛି। ଏହା ପୂର୍ବରୁ କମ୍ପାନୀର ସିଇଓ ବବ୍ ଇଗର ଫେବ୍ରୁଆରୀରେ ଡିଜନୀ ସାତ ହଜାର କର୍ମଚାରୀଙ୍କ ଛଟେଇ କରିବା ନେଇ ମଧ୍ୟ ଘୋଷଣା କରିଥିଲେ। ଏହାଦ୍ବାରା କମ୍ପାନୀ ପ୍ରାୟ ୭ ବିଲିୟନ ଡଲାର ବଞ୍ଚାଇବ। କମ୍ପାନୀ କଣ୍ଟେଣ୍ଟରେ ହ୍ରାସ ସହ କର୍ମଚାରୀଙ୍କ ଦରମାରେ ମଧ୍ୟ କାଟ୍ କରିବାର ଯୋଜନା କରୁଛି।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଅନେକ କମ୍ପାନୀ କର୍ମଚାରୀଙ୍କ ଛଟେଇ କରିଛନ୍ତି। ଯେଉଁଥିରେ ମେଟା ପ୍ରାୟ ପୁଣି ୧୦ ହଜାର କର୍ମୀଙ୍କ ଛଟେଇ କରିବାକୁ ଯୋଜନା କରୁଛି। ସେହିଭଳି ମାଇକ୍ରୋସଫ୍ଟ, ଜୁମ୍, ଗୁଗଲ, ଆମାଜନ ମଧ୍ୟ ଅନେକ କର୍ମଚାରୀଙ୍କ ଛଟେଇ କରିଛନ୍ତି।