ଓଡ଼ିଶା କ୍ରିକେଟର ନୂଆ କୋଚ୍ ହେଲେ ଭାବେ, ଦାୟିତ୍ୱ ନେବା ପରେ କହିଲେ ଫୋକସରେ ଟିମ୍ ପରଫରମାନ୍ସ

Published By : Prameya-News7 Bureau | April 23, 2024 IST

କଟକ ୨୩/୦୪: ଓଡିଶା କ୍ରିକେଟର ନୂଆ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ମହାରାଷ୍ଟ୍ରର ଜଣାଶୁଣା କ୍ରିକେଟର ତଥା କୋଚ ସୁରେନ୍ଦ୍ର ଭାବେ । ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦୀନେଶ ମୋଙ୍ଗିଆ କୋଚ ପଦ ଛାଡିବା ପରେ ୧୩ ଜଣ ଆବେଦନକାରୀଙ୍କ ମଧ୍ୟରୁ ସୁରେନ୍ଦ୍ର ଭାବେଙ୍କୁ ୨ ବର୍ଷ ପାଇଁ ଚୟନ କରିଛି ଓସିଏ । 

ଦୁଇ ବର୍ଷ ପାଇଁ ସୁରେନ୍ଦ୍ର ଭାବେ ଓଡିଶା ରଣଜୀ ଦଳ ସହ ଜୁନିୟର କ୍ରିକେଟ ଉପରେ ବିଶେଷ ଧ୍ୟାନ ଦେବେ । ଏହି ପଦ ପାଇଁ ୧୩ ଜଣ ଅଭିଜ୍ଞ କୋଚ ଆବେଦନ କରିଥିଲେ । ହେଲେ ମହାରାଷ୍ଟ୍ର ପାଇଁ ସୁରେନ୍ଦ୍ର ଭାବେ ସଫଳତାର ସହ ୧୬ ବର୍ଷ ରଣଜୀ ଖେଳିବା, ବେଶ ନିଷ୍ଠାର ସହ ଅଧିନାୟକ ଦାୟିତ୍ୱ ତୁଲାଇବା ଓ ସର୍ବୋପରି ୨୫ ବର୍ଷ ଧରି ମହାରାଷ୍ଟ୍ର, ହରିୟାଣା ଓ ପଞ୍ଜାବ ଟିମକୁ ପ୍ରଶିକ୍ଷଣ ଦେବା ଅଭିଜ୍ଞତାକୁ ନଜରରେ ରଖି ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛି ଓସିଏ । 

ସୁରେନ୍ଦ୍ର କହିଛନ୍ତି ଯେ ଓଡିଶା ଟିମକୁ ପ୍ରଶିକ୍ଷଣ ଦେବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ । ତେବେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଗୁଡିକ ରେ କିପରି ଦଳ ଜିତିବ ଏବଂ ଲଗାତାର ଭାବେ ସବୁ ଫର୍ମାଟ ରେ ଓଡିଶା ଭଲ କରିବ ସେଥି ପ୍ରତି ସେ ଯତ୍ନଶୀଳ ହେବେ । ସେହିପରି ଅନ୍ୟ ପକ୍ଷରେ ଓସିଏ ସୁରେନ୍ଦ୍ର ଭାବେଙ୍କ ଉପରେ ବେଶ ଆଶାଭରଷା କରି ତାଙ୍କୁ ମୁଖ୍ୟ କୋଚ କରିଛି । 

ପୂର୍ବରୁ ଅଷ୍ଟ୍ରେଲିଆର ମାଇକେଲ ବେଭାନ, ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର, ଭେଙ୍କଟପତି ରାଜୁ, ଦୀନେଶ ମଙ୍ଗିଆଙ୍କ ଭଳି ଖ୍ୟାତିସଂପନ୍ନ କ୍ରିକେଟରଙ୍କୁ କୋଚ କରି ଓସିଏ ବିଶେଷ ସଫଳତା ପାଇ ନାହିଁ । ସେମାନେ ଅଧାରୁ ଦାୟିତ୍ୱ ଛାଡି ଥିବା ନଜର ରହିଛି । ଏପରି ସ୍ଥଳେ ସୁରେନ୍ଦ୍ର ଭାବେ ଓଡିଶା କ୍ରିକେଟକୁ ଭଲ ସେବା ଦେବେ ବୋଲି ଓସିଏ ଆଶା ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.