ଖରାପ ହୋଇଥିବା ସମ୍ପର୍କର ପ୍ରଭାବ ଭାରତ ସହ ଥିବା ସାମରିକ ସହଭାଗିତା ଉପରେ ପଡ଼ିବ ନାହିଁ, କାନାଡ଼ା ସେନା ଉପମୁଖ୍ୟ ପିଟର ସ୍କଟ୍
26/09/2023 at 5:02 PM

ଓଟ୍ଟାୱା: ଭାରତ ଓ କାନାଡ଼ା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। କାନାଡ଼ା ଭାରତ ଉପରେ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡର ଦୋଷ ଲଦିବା ପରେ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଯେଶାକୁ ତେଶା ନୀତିରେ କାର୍ଯ୍ୟାନୁଷ୍ଠାନ ନେଇଛି।
ତେବେ ଦୁଇ ଦେଶ ମଧ୍ୟରେ ବଢ଼ିଥିବା ଏହି ତିକ୍ତତାର ପ୍ରଭାବ ସାମରିକ ସମ୍ପର୍କ ଉପରେ ପଡ଼ିବ ନାହିଁ ବୋଲି କାନାଡ଼ା ଆର୍ମି ଉପମୁଖ୍ୟ ମେଜର ଜେନେରାଲ ପିଟର ସ୍କଟ୍ କହିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଇଣ୍ଡୋ ସ୍ପେସିଫିକ୍ ଆର୍ମି ଚିଫ୍ସ୍ କନଫରେନ୍ସ(ଆଇପିଏସିସି)ରେ ଯୋଗ ଦେଇ ଏପରି କହିଛନ୍ତି ପିଟର ସ୍କଟ। ଏହି ବୈଠକରେ ୩୦ ଦେଶର ସେନା ପ୍ରତିନିଧି ଯୋଗ ଦେଇଥିଲେ।
ପିଟର କହିଛନ୍ତି “ ବର୍ତ୍ତମାନ ସମୟରେ ମୋ ଜାଣିବାରେ ଏସବୁ ଆମ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏହି ମାମଲାକୁ ରାଜନୈତିକ ସ୍ତରରେ ସମାଧାନ କରିବାକୁ ଛାଡ଼ି ଦେବା ଉଚିତ୍। ଆମେ ଏଠି ଉପସ୍ଥିତ ରହି ବହୁତ ଖୁସି ଅଛୁ। ସମସ୍ୟା କୌଣସି ପ୍ରଭାବ ପକାଇଥିବା ଜଣାପଡ଼ୁ ନାହିଁ।” ପିଟିଆଇକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ପିଟର।
ପିଟର ଆହୁର କହିଛନ୍ତି “ଆମର ଉଭୟ ଦେଶର ସେନାଙ୍କ ମଧ୍ୟରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ମୁଁ ଗତ ରାତିରେ ଆପଣଙ୍କର ଆର୍ମି କମାଣ୍ଡର(ଆର୍ମି ଚିଫ୍ ଜେନେରାଲ୍ ମନୋଜ ପାଣ୍ଡେ)ଙ୍କ ସହ କଥା ହୋଇଛି। ଆମେ ଉଭୟ ଏଥିରେ ସହମତି ପ୍ରକାଶ କରିଛୁ ଯେ ଏହା ଏକ ରାଜନୈତିକ ସମସ୍ୟା। ଏଥିରେ ଆମ ସମ୍ପର୍କରେ କୌଣସି ହସ୍ତକ୍ଷେପ କରିବ ନାହିଁ।”
ଦିଲ୍ଲୀରେ ହୋଇଥିବା ସମ୍ମିଳନୀରେ ୩୦ ଦେଶର ସେନା ପ୍ରତିନିଧିଙ୍କ ମଧ୍ୟରେ ଆମ ଦୁଇ ଦେଶର ସେନା ମଧ୍ୟରେ ପରସ୍ପରକୁ ସହଯୋଗ ନେଇ ଆଲୋଚନା ହୋଇଥିଲା। ଶାନ୍ତି ପ୍ରତିଷ୍ଠା ପାଇଁ କେଉଁସବୁ ଦିଗରେ ସହଯୋଗ କରି ହେବ ସେ ନେଇ ଆଲୋଚନା ହୋଇଥିଲା ବୋଲି ପିଟର କହିଛନ୍ତି। ସେହିପରି ସମ୍ମିଳନୀକୁ ନେଇ ପିଟର କହିଛନ୍ତି ଯେ ଇଣ୍ଡୋ ପାସିଫିକ୍ ନେସନ୍ ମଧ୍ୟରେ ଥିବା ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିବା ପରସ୍ପର ସହଯୋଗ କରିବା ନେଇ ଏହି ମଞ୍ଚ ଏକ ବଡ଼ ମଞ୍ଚ। ଏଠି ସ୍ୱାଧିନତାର ସହ ମତ ରଖିହେଉଛି ବୋଲି ପିଟର କହିଛନ୍ତି।
ପଢ଼ନ୍ତୁ-କାନାଡ଼ାକୁ ଘେରିଲା ଶ୍ରୀଲଙ୍କା; ହରଦୀପ ସିଂହ ନଜ୍ଜର ଘଟଣାରେ ଭାରତକୁ ସମର୍ଥନ
ସୂଚନା ଥାଉକି, ଭାରତୀୟ ସେନା ପକ୍ଷରୁ ଦିଲ୍ଲୀରେ ଦୁଇ ଦିନିଆ ଆଇପିଏସିସି ବୈଠକର ଆୟୋଜନା କରାଯାଇଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଥିବା ବିଭିନ୍ନ ରଣନୈତିକ ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପରିସରରେ ଆସୁଥିବା ଦେଶର ସେନା ମୁଖ୍ୟମାନେ ସାମିଲ୍ ହୋଇଥିଲେ।