ଟି-୨୦ ବିଶ୍ଵ କପ୍‌ରେ ଦିନେଶ କାର୍ତ୍ତିକଙ୍କ 'ଛକା'ର ମରୁଡି ଜାରି, କେବେ ଘଟିବ ଅପେକ୍ଷାର ଅନ୍ତ ?

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ: ଦିନେଶ କାର୍ତ୍ତିକ ସଂପ୍ରତି ଭାରତୀୟ ଦଳର ଶ୍ରେଷ୍ଠ ଫିନିସରଙ୍କ ମଧ୍ୟରୁ ଜଣେ। ମାତ୍ର କଣ ଆପଣ ଜାଣିଛନ୍ତି, ତାଙ୍କ ନାମରେ ଏ ପର୍ଯ୍ୟନ୍ତ ଟି-୨୦ ବିଶ୍ଵ କପ୍‌ରେ ଗୋଟିଏ ହେଲେ ଛକା ମାରିବାର ରେକର୍ଡ ନାହିଁ।  ଦିନେଶ କାର୍ତ୍ତିକ ୨୦୦୭ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ପ୍ରଥମ ଟି-୨୦ ବିଶ୍ଵ କପ୍ ଖେଳିଥିଲେ। ଏହାପରେ ସେ ୨୦୧୦ ଟି-୨୦ବିଶ୍ଵ କପ୍‌ରେ ଭାରତୀୟ ଦଳର ସଦସ୍ୟ ଥିଲେ। ଏବେ ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ତାଙ୍କୁ ଟି-୨୦ ବିଶ୍ଵ କପ୍ ୨୦୨୨ରେ ଖେଳିବାର ସୁଯୋଗ ମିଳିଛି। ମାତ୍ର ଏ ପର୍ଯ୍ୟନ୍ତ ସେ ଟି-୨୦ ବିଶ୍ଵ କପ୍‌ରେ ଗୋଟିଏ ହେଲେ ଛକା ମାରି ପାରି ନାହାନ୍ତି।

୨୦୦୭ ଟି-୨୦ ବିଶ୍ଵ କପ୍‌ରେ କାର୍ତ୍ତିକଙ୍କୁ ମୋଟ୍ ୪ଟି ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିଥିଲା। ଏଥିରୁ ସେ ୯.୩୩ ହାରରେ ମାତ୍ର ୨୮ ରନ କରିଥିଲେ। ପୁଣି ୨୦୨୦ ଟି-୨୦ ବିଶ୍ଵ କପ୍‌ରେ ତାଙ୍କ ବ୍ୟାଟ୍‌ରୁ ୨ଟିମ୍ୟାଚ୍‌ରେ ୧୪.୫୦ ହାରରେ ୨୯ ରନ ଦେଖିବାକୁ ମିଳିଥିଲା। ଏବେ ୨୦୨୨ ଟି-୨୦ ବିଶ୍ଵ କପ୍‌ରେ ତାଙ୍କ ପ୍ରଦର୍ଶନ ଆହୁରି ନିରାଶଜନକ ରହିଥିଲା। ଚଳିତ ସଂସ୍କରଣରେ ଖେଳିଥିବା ୪ଟି ମ୍ୟାଚ୍‌ରେ ମାତ୍ର ୪.୬୬ ହାରରେ ୧୪ ରନ କରିଛନ୍ତି। ଦିନେଶ କାର୍ତ୍ତିକ ବିଶ୍ଵ କପ୍‌ରେ ମୋଟ୍ ୧୦ ମ୍ୟାଚ୍ ଖେଳିଥିଲେ ହେଁ ଗୋଟିଏ ହେଲେ ଛକା ମାରିପାରି ନାହାନ୍ତି। ଏହି ସମୟରେ ତାଙ୍କ ବ୍ୟାଟରୁ ୧୦ଟି ଚୌକା ଦେଖିବାକୁ ମିଳିଛି।

ଆଇପିଏଲ୍ ୨୦୨୨ରେ ଆରସିବି ପକ୍ଷରୁ ଦମଦାର ପ୍ରଦର୍ଶନ ବଳରେ ୩୭ ବର୍ଷୀୟ ଓ୍ଵିକେଟ୍ କିପର କାର୍ତ୍ତିକ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ଅନେକ ମ୍ୟାଚ୍‌ରେ ଭଲ ଫିନିସ୍ କରି ଭାରତୀୟ ଦଳକୁ ମ୍ୟାଚ୍  ଜିତାଇଛନ୍ତି। ବିଶ୍ଵ କପ୍ ପରି ଟୁର୍ଣ୍ଣାମେଣ୍ଟରେ ପନ୍ତଙ୍କ ସ୍ଥାନରେ ଦଳ ତାଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦେଇଛି। ତେବେ ଏ ପର୍ଯ୍ୟନ୍ତ ଦିନେଶ କାର୍ତ୍ତିକ ଅଧିନାୟକ ରୋହିତ ଶର୍ମା ଏବଂ ଦଳ ପ୍ରବନ୍ଧକଙ୍କ ଆଶା ଅନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଯଦି ତାଙ୍କର ପ୍ରଦର୍ଶନ ଏମିତି ରହେ ତେବେ  ଋଷଭ ପନ୍ତଙ୍କୁ ନକଆଉଟ୍‌ ମ୍ୟାଚ୍‌ରେ ସୁଯୋଗ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.