ରୋହିତ-ଦ୍ରାବିଡଙ୍କୁ ଦିନେଶ କାର୍ତ୍ତିକଙ୍କ ଉପଦେଶ- ସୂର୍ଯ୍ୟକୁମାରଙ୍କୁ ODIରେ ଏମିତି ବ୍ୟବହାର କରନ୍ତୁ
20/03/2023 at 4:32 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଦିନିକିଆ ଅନ୍ତର୍ଜାତୀୟରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଏ ପର୍ଯ୍ୟନ୍ତ ତାଙ୍କୁ ୨୨ ଦିନିକିଆ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲେ ହେଁ ତାଙ୍କର ଖରାପ ଫର୍ମ ଦଳ ପାଇଁ ବର୍ତ୍ତମାନ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଇସିସି ଟି-୨୦ ଅନ୍ତର୍ଜାତୀୟ ବ୍ୟାଟର ରାଙ୍କିଙ୍ଗରେ ଶୀର୍ଷରେ ଥିବା ସୂର୍ଯ୍ୟକୁମାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ପ୍ରଥମ ବଲ୍ରେ ହିଁ ଆଉଟ୍ ହୋଇଛନ୍ତି। ୨୨ ଦିନିକିଆ ମ୍ୟାଚ୍ରେ ୨୦ଟି ଇନିଂସରେ ସୂର୍ଯ୍ୟକୁମାର ୨୫.୪୭ ହାରରେ ମାତ୍ର ୪୩୩ ରନ କରିଛନ୍ତି। ଏଥିରେ କେବଳ ଦୁଇଟି ଅର୍ଦ୍ଧଶତକ ସାମିଲ୍। ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ କେମିତି ଉପଯୋଗ କରାଯାଇ ପାରିବ ସେ ନେଇ ଭାରତୀୟ ଦଳର ବରିଷ୍ଠ ଓ୍ଵିକେଟ୍ କିପର ବ୍ୟାଟର ଦିନେଶ କାର୍ତ୍ତିକ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କୁ ଖାସ୍ ଉପଦେଶ ଦେଇଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଭାରତର ୧୦ ଓ୍ଵିକେଟ୍ ପରାଜୟ ପରେ କ୍ରିକବଜ୍ ସହ ଆଲୋଚନା ବେଳେ ଦିନେଶ କାର୍ତ୍ତି କହିଛନ୍ତି, ଏହି ଧରଣର ବଲ୍ରେ ବି ସେ ଟି-୨୦ ମୁକାବିଲାରେ ଆଉଟ୍ ହୋଇଥାନ୍ତେ। ଏମିତି ନାହିଁ ଯେ ଦିନିକିଆ ମ୍ୟାଚ୍ରେ ସେ ଏମିତି ଆଉଟ୍ ହେଉଛନ୍ତି। ସେ ଯେ କୌଣସି ଫର୍ମାଟ୍ ହେଉନା କାହିଁକି ଏହା ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ ଥିଲା। ସୂର୍ଯ୍ୟ ଲଗାତାର ଦୁଇଟି ଦିନିକିଆ ଖେଳିଥିଲେ ହେଁ ପୂର୍ବରୁ ଚୂଡାନ୍ତ ଏକାଦଶରେ ସାମିଲ୍ ହୋଇଛନ୍ତି ଏବଂ ବାଦ୍ ବି ପଡିଛନ୍ତି। କାରଣ ନମ୍ବର ୪ରେ ବ୍ୟାଟର ଭାବେ ଶ୍ରେୟସ ଆୟର ଦଳର ପ୍ରଥମ ପସନ୍ଦ। ଆଉ ସୂର୍ଯ୍ୟ ତାଙ୍କର ବ୍ୟାକ୍ ଅପ୍ ଖେଳାଳି ଭାବେ ଖେଳୁଛନ୍ତି।
ଏ ଖବର ପଢନ୍ତୁ- ପୁଣି ଥରେ ODIରେ ଫେଲ୍ ମାରିଲେ ସୂର୍ଯ୍ୟକୁମାର ଯାଦବ, ଆଗାମୀ ୨ ମ୍ୟାଚ୍ ଗୁରୁତ୍ଵପୂର୍ଣ୍ଣ
ଦିନେଶ କାର୍ତ୍ତିକ କହିଛନ୍ତି, ମୁଁ ଦିନିକିଆରେ ସୂର୍ଯ୍ୟକୁମାରଙ୍କୁ ବ୍ୟାଟିଂ କ୍ରମରେ ନିମ୍ନ ଅର୍ଡରରେ ବ୍ୟାଟିଂ କରିବାକୁ ଦେଖିବାକୁ ଚାହିଁବି। ମୋ ମତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପର ଅର୍ଡରରେ ଅର୍ଥାତ ନମ୍ବର ୪ରେ ବ୍ୟାଟିଂ ପାଇଁ ପଠାଯିବା ଉଚିତ୍। କେଏଲ ରାହୁଲ ନମ୍ବର ୫ ଏବଂ ପୁଣି ସୂର୍ଯ୍ୟକୁମାର ଯାଦବଙ୍କୁ ନମ୍ବର ୬ରେ ପଠାଯାଇ ପାରିବ। କାରଣ ଯେବେ ଆପଣ ସୂର୍ଯ୍ୟକୁମାରଙ୍କୁ ୧୫-୧୮ ଓଭର ବୋଲିଂ କରିବାକୁ ଦେବେ ତେବେ ଆପଣ ଜାଣିଛନ୍ତି ସେ କିଭଳି ମ୍ୟାଚ୍ ପଲଟାଇ ଦିଅନ୍ତି। ଯଦି ଆପଣ ସୂର୍ଯ୍ୟଙ୍କୁ କମ୍ ଓଭର ବୋଲିଂ କରିବାକୁ ଦେବେ ସେ ଅଧିକ ବିପଦଜ୍ଜନକ ସାବ୍ୟସ୍ତ ହୋଇ ପାରନ୍ତି।