୧୬ ବର୍ଷ, ୬ ଟିମ୍, ଗୋଟିଏରେ ଚମ୍ପିଆନ୍; IPLର ୭ରତ୍ନରେ ସାମିଲ, ବର୍ତ୍ତମାନ ନେଲେ ସନ୍ୟାସ

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ ୨୪।୦୫: ଟିମ୍‌ ଇଣ୍ଡିଆର ଦମ୍‌ଦାର୍‌ ପ୍ଲେୟର ଦିନେଶ କାର୍ତ୍ତିକ । ସାତରତ୍ନଙ୍କ ମଧ୍ୟରୁ ଜଣେ । ୨୦୦୮ରୁ ୨୦୨୪ ଯାଏଁ ଖେଳିଛନ୍ତି ଆଇପିଏଲ୍‌ର ପ୍ରତି ସିଜିନ୍‌ । ବର୍ତ୍ତମାନ ଆଇପିଏଲ୍‌ରୁ ନେଲେ ସନ୍ୟାସ । ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍‌ ଥିଲା ଶେଷ ମ୍ୟାଚ୍‌ । ଦିନେଶ କାର୍ତ୍ତିକ । ୧୬ ବର୍ଷର କ୍ୟାରିୟରରେ କରିଛନ୍ତି ୬ଟିମ୍‌ର ପ୍ରତିନିଧିତ୍ବ । 

ମୁମ୍ବାଇ ଇଣ୍ଡିଆନ୍ସ ସହିତ ଥରେ ଟାଇଟଲ୍‌ ହାତେଇବାରେ ମଧ୍ୟ ହୋଇଛନ୍ତି ସଫଳ । ସେ କେକେଆର୍‌ର ୨ବର୍ଷ କରିଛନ୍ତି ଅଧିନାୟିକତ୍ବ । ଟିମ୍‌କୁ ଥରେ ପ୍ଲେଅପ୍‌ରେ ପହଞ୍ଚାଇବାରେ ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା । ଆଇପିଏଲ୍‌ରେ ଦିନେଶ କାର୍ତ୍ତିକଙ୍କ ଯାତ୍ରା ଦିଲ୍ଲୀ ଡେୟାରଡେଭିଲ୍‌ରୁ ଆରମ୍ଭ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍‌ ବାଙ୍ଗାଲୁରୁରେ ଶେଷ ।  

୨୦୦୮ରୁ ଆଇପିଏଲର ପ୍ରତ୍ୟେକ ସିଜନରେ ଖେଳିଥିବା ସାତ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଦିନେଶ କାର୍ତ୍ତିକ । ଏହି ତାଲିକାରେ ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ରିଦ୍ଧିମାନ ସାହା ଏବଂ ମନୀଷ ପାଣ୍ଡେ ରହିଛନ୍ତି । କାର୍ତ୍ତିକ ୧୭ଟି ସିଜନରେ କେବଳ ଦୁଇଟି ମ୍ୟାଚ୍ ଖେଳିନାହାନ୍ତି । ଆଇପିଏଲ କ୍ୟାରିୟରରେ ଦିନେଶ ୨୫୭ଟି ମ୍ୟାଚ୍ ଖେଳିଛନ୍ତି । 

ଯାହା ଆଇପିଏଲ୍‌ରେ ଖେଳିଥିବା ଦ୍ୱିତୀୟ ସର୍ବାଧିକ ମ୍ୟାଚ୍ । ତାଙ୍କ ସମକକ୍ଷରେ ରୋହିତ ରହିଥିବା ବେଳେ କେବଳ ତାଙ୍କ ଆଗରେ ରହିଛନ୍ତି ଧୋନି । କାର୍ତ୍ତିକ ଆଇପିଏଲରେ ୪୮୪୨ ରନ୍‌ କରିଛନ୍ତି । ସେ ବର୍ତ୍ତମାନ ଆଇପିଏଲର ଦଶମ ସର୍ବାଧିକ ରନ୍ ସ୍କୋରର । ତାଙ୍କ ନାଁରେ ୨୨ଟି ଅର୍ଦ୍ଧ ଶତକ ରହିଛି ।  

କାର୍ତ୍ତିକ ୨୦୧୮ରୁ ୨୦୨୦ମଧ୍ୟରେ ୩୭ଟି ମ୍ୟାଚରେ KKRର ନେତୃତ୍ୱ ନେଇଥିଲେ । ସେ ୧୯ଟି ମ୍ୟାଚ୍‌ ଜିତାଇବାର ରେକର୍ଡ ନିଜ ନାଁରେ କରିଥିଲେ । ଆଇପିଏଲରେ ୱିକେଟ୍ କିପର ଭାବରେ ୧୦୦ରୁ ଅଧିକ କରିଛନ୍ତି ଶିକାର । ଧୋନିଙ୍କ ବ୍ୟତୀତ କାର୍ତ୍ତିକ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଟୁର୍ନାମେଣ୍ଟରେ ୩୫ରୁ ଅଧିକ ଷ୍ଟମ୍ପିଂ କରିଛନ୍ତି। କାର୍ତ୍ତିକ ଏବଂ ଧୋନି କେବଳ ଦୁଇଜଣ ଖେଳାଳି ଯିଏକି ୱିକେଟ୍ କିପର ଭାବରେ ଆଇପିଏଲ୍‌ରେ କରିଛନ୍ତି ୪ହଜାରରୁ ଅଧିକ ରନ୍ । ଆଇପିଏଲରେ ଡେଥ୍‌ ଓଭରରେ ସର୍ବାଧିକ ରନ୍ କରିବାରେ କାର୍ତ୍ତିକ ତୃତୀୟ ସ୍ଥାନରେ ରହିଛନ୍ତି । 

କାର୍ତ୍ତିକ ଆଇପିଏଲରେ ୨୫୭ ମ୍ୟାଚ୍ ଖେଳି ୪୮୪୨ ସ୍କୋର କରିଛନ୍ତି । ଏହି ଅବଧିରେ ସେ ୧୪୫ କ୍ୟାଚ୍ ନେଇ ୩୭ ଷ୍ଟମ୍ପିଂ କରିଥିଲେ । ଆଇପିଏଲ୍ ୨୦୨୪ରେ ସେ ୩୨୬ ରନ୍ ସ୍କୋର କରିଥିଲେ । ଏଥିରେ ୨ଟି ଅର୍ଦ୍ଧଶତକ, ୨୨ଟି କ୍ୟାଚ୍ ନେଇ ୪ଟି ଷ୍ଟମ୍ପିଂ କରିଥିଲେ । ତେବେ ୨୦୦୪ରେ ଆରମ୍ଭ ହୋଇଥିଲା ଦୀନେଶଙ୍କ ଆନ୍ତର୍ଜାତୀୟ କ୍ୟାରିୟର । ଟେଷ୍ଟ, ODI ଏବଂ ଟି-୨୦ ସମେତ ୧୯୦ଟି ମ୍ୟାଚରେ କରିଛନ୍ତି ୩୪୬୩ରନ୍ । 

ଏଥିରେ ଗୋଟିଏ ଶତକ ଏବଂ ୧୭ଟି ଅର୍ଦ୍ଧଶତକ ରହିଛି । ସେ ୧୫୧ଟି କ୍ୟାଚ୍‌ ନେଇ ୨୧ଟି ଷ୍ଟମ୍ପିଂ କରିଛନ୍ତି । ଟେଷ୍ଟରେ ସେ ୨୫ଟି ମ୍ୟାଚ୍‌ରେ କରିଛନ୍ତି ୧୦୨୫ ରନ୍‌ । ଯେଉଁଥିରେ ଗୋଟିଏ ଶତକ ଏବଂ ୭ଟି  ଅର୍ଦ୍ଧଶତକ ରହିଛି । ଏହାବ୍ୟତୀତ ୫୭ଟି କ୍ୟାଚ୍ ଏବଂ ୬ଟି ଷ୍ଟମ୍ପିଂ ନେଇଥିଲେ । ODIରେ କାର୍ତ୍ତିକ ୯୪ଟି ମ୍ୟାଚ୍ରେ ୧୭୫୨ ରନ୍‌ କରିଥିଲେ । 

ଏଥିରେ ସାମିଲ୍‌ ରହିଥିଲା ୯ଟି ଅର୍ଦ୍ଧଶତକ, ୬୪ଟି କ୍ୟାଚ୍‌ ଏବଂ ୭ଟି ଷ୍ଟମ୍ପିଂ । ସେହିପରି ସେ ୬୦ଟି ଟି-୨୦ ଖେଳି ୬୮୬ ରନ୍‌ ସ୍କୋର୍‌ କରିଛନ୍ତି । ୩୦ଟି କ୍ୟାଚ୍ ଏବଂ ୮ଟି ଷ୍ଟମ୍ପିଂ କରିଥିଲେ। ତେବେ ଆଇପିଏଲ୍‌ ବୋର୍ଡକାଷ୍ଟର ଦିନେଶଙ୍କ ସନ୍ୟାସକୁ ନିଶ୍ଚିତ କରିଛି । କିନ୍ତୁ ଏନେଇ ଦିନେଶ କାର୍ତ୍ତିକଙ୍କ ପକ୍ଷକୁ କୌଣସି ସୂଚନା ମିଳିନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.