ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳର ଅଧିନାୟକ କରାଯାଇଛି। ବିସିସିଆଇ ସୋମବାର ଦଳ ଘୋଷଣା କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଶିଖର ଧାଓ୍ଵନଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଥିବା ବେଳେ ଋଷଭ ପନ୍ତଙ୍କୁ ଉଭୟ ଶୃଙ୍ଖଳା ପାଇଁ ଉପ ଅଧିନାୟକ କରାଯାଇଛି। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ନାହିଁ ଦିନେଶ କାର୍ତ୍ତିକଙ୍କ ନାମ। ତେଣୁ ତାଙ୍କର କ୍ୟାରିୟର ସମାପ୍ତ ହୋଇଥିବା କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି।
ଭାରତର ଜାତୀୟ ଚୟନ କମିଟିର ଅଧ୍ୟକ୍ଷ ଚେତନ ଶର୍ମା ସୋମବାର କହିଛନ୍ତି, ଟି-୨୦ ବିଶ୍ଵ କପ୍ ପରେ ବି ଦିନେଶ କାର୍ତ୍ତିକଙ୍କ ନାମ ଉପରେ ବିଚାର କରାଯିବ। ଓ୍ଵାର୍କଲୋଡ୍ ମ୍ୟାନେଜମେଣ୍ଟକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ତାଙ୍କୁ ଦଳରେ ନିଆଯାଇ ନାହିଁ।
ଚେତନ ଶର୍ମା କହିଛନ୍ତି, ଦିନେଶ କାର୍ତ୍ତିକଙ୍କ କ୍ୟାରିୟର ସମାପ୍ତ ହୋଇଛି ଭାବିବା ଠିକ୍ ନୁହେଁ। ବ୍ୟସ୍ତବହୁଳ କ୍ରୀଡାସୂଚୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆମେ ଏହା ଉପରେ ଅଧିକ ଗୁରୁତ୍ଵ ଦେଉଛୁ ଯେ, ଉଚିତ୍ ସମୟରେ କାହାକୁ ବିଶ୍ରାମ ଦିଆଯିବ। ଦିନେଶ କାର୍ତ୍ତିକ ଯେଉଁଭଳି ଦଳକୁ ଆସିଲେ ଏବଂ ତାଙ୍କର ପ୍ରଦର୍ଶନ ଯେମିତି ରହିଛି, ସେ ଚୟନକର୍ତ୍ତାଙ୍କ ପାଇଁ ସର୍ବଦା ଉପଲବ୍ଧ ରହିବେ।
ବିଶ୍ଵ କପ୍ ସରିବା ମାତ୍ରେ ଆମ ସାମ୍ନାରେ କିଛି ଟି-୨୦ ମ୍ୟାଚ୍ ରହିଛି। ତେଣୁ ଆମେ ଅବଶିଷ୍ଟ ଖେଳାଳିଙ୍କୁ ସୁଯୋଗ ଦେବା ବିଷୟରେ ଚିନ୍ତା କରିଛୁ। ଦିନେଶଙ୍କ ପାଇଁ ଦ୍ଵାର ସର୍ବଦା ଖୋଲା ରହିଛି। ସେ ଜଣେ ଚମତ୍କାର ଖେଳାଳି, ଏଥିରେ କୌଣସି ସମସ୍ୟା ନାହିଁ ବୋଲି ଚେତନ ଶର୍ମା କହିଛନ୍ତି। ନ୍ୟୁଜିଲାଣ୍ଡ ସହିତ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବାଂଲାଦେଶ ଗସ୍ତରେ ଭାରତୀୟ ଦଳ ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ।