୨ଟି ବଲ୍‌ରେ ସବୁ ପ୍ରଶଂସା ସାଉଁଟି ନେଲେ କାର୍ତ୍ତିକ, ହସି କି କହିଲେ- ଆରେ ସାର, ଜିତିବାର ଶ୍ରେୟ ନେଉ ନାହିଁ

Published By : Prameya-News7 Bureau | September 24, 2022 IST

ନାଗପୁର: ଭାରତୀୟ ଦଳର  ଷ୍ଟାର ଏବଂ ଅନୁଭବୀ ଓ୍ଵିକେଟ୍ କିପର ଦିନେଶ କାର୍ତ୍ତିକ ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଟି-୨୦ରେ ସଭିଙ୍କ ମନ ଜିଣିଛନ୍ତି। କାର୍ତ୍ତିକ ମାତ୍ର ଦୁଇଟି ବଲ୍‌ରେ  ହିଁ ପ୍ରଶଂସା ସାଉଁଟିଛନ୍ତି। ବେଷ୍ଟ ଫିନିସରର ଆଖ୍ୟା ହାସଲ କରିଥିବା କାର୍ତ୍ତିକ ଶେଷ ଦୁଇଟି ବଲ୍‌ରେ ଗୋଟିଏ ଛକା ଏବଂ ଗୋଟିଏ ଚୌକା ମାରି ଦଳକୁ ଜିତାଇଛନ୍ତି। ବର୍ଷା ବାଧାପ୍ରାପ୍ତ ଦ୍ଵିତୀୟ ଟି-୨୦ରେ ୮-୮ ଓଭର ଖେଳାଯାଇଥିଲା। ଭାରତ ମ୍ୟାଚ୍‌କୁ ୬ ଓ୍ଵିକେଟ୍‌ରେ ଜିତି ସିରିଜ୍‌ ୧-୧ରେ ବରାବର କରିଛନ୍ତି।

ଉଲ୍ଲେଖନୀୟ ଶେଷ ଓଭରରେ ଭାରତକୁ ବିଜୟ ପାଇଁ ୯ ରନ ଆବଶ୍ୟକ ଥିଲା। ସେହି ସମୟରେ କାର୍ତ୍ତିକ ଷ୍ଟ୍ରାଇକ୍‌ରେ ଥିବା ବେଳେ ନନଷ୍ଟ୍ରାଇକ୍‌ରେ ଥିଲେ ଅଧିନାୟକ ରୋହିତ ଶର୍ମା। ଆଉ ୨୦ତମ ଓଭରର ପ୍ରଥମ ଦୁଇଟି ବଲ୍‌ରେ ଛକା ଏବଂ ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ କାର୍ତ୍ତିକ। ତାଙ୍କର ମ୍ୟାଚ୍ ବିଜୟୀ ଫିନିସ୍ ଦେଖି ରୋହିତ ଶର୍ମା ବହୁତ ଆନନ୍ଦିତ ହେବା ସହିତ ନିକଟକୁ ଯାଇ କାର୍ତ୍ତିକଙ୍କୁ  ଆଲିଙ୍ଗନ କରିଥିଲେ।

ମ୍ୟାଚ୍ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆପଣ ମାତ୍ର ଦୁଇଟି ବଲ୍‌ରେ ମ୍ୟାଚ୍‌ର ପୂରା ଶ୍ରେୟ ନେଇଗଲେ ବୋଲି କାର୍ତ୍ତିକଙ୍କୁ ପ୍ରଶ୍ନ ହୋଇଥିଲା। ଏହା ଉପରେ ସ୍ମିତ ହାସ୍ୟ ଦେଇ କାର୍ତ୍ତିକ କହିଛନ୍ତି, ମୁଁ କୌଣସି ଶ୍ରେୟ ନେଇନି ସାର। ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ବଳରେ ହିଁ ଆମେ ମ୍ୟାଚ୍ ଜିତିଛୁ। ମୋତେ ଶେଷ ଓଭରରେ ସୁଯୋଗ ମିଳିବାରୁ ମୁଁ ବଡ ସଟ୍ ଖେଳିବାକୁ ଚେଷ୍ଟା କରିଥିଲି ବୋଲି କାର୍ତ୍ତିକ କହିଛନ୍ତି।

କାର୍ତ୍ତିକ କହିଛନ୍ତି, ମୋ ହିସାବରେ ରୋହିତ କମାଲ ବ୍ୟାଟିଂ କରିଛନ୍ତି। ନୂତନ ବଲ୍‌ରେ ଏମିତି ପିଚ୍‌ରେ ବଡ ସଟ୍ ଖେଳିବା ସହଜ ନଥିଲା। ତେଣୁ ଏଥିରୁ ଜଣା ପଡୁଛି ଯେ, ରୋହିତ ଶର୍ମା କେତେ ବଡ ଖେଳାଳି। କେବଳ ଭାରତୀୟ କ୍ରିକେଟ୍ ନୁହେଁ ବରଂ ବିଶ୍ଵ କ୍ରିକେଟ୍‌ରେ ତାଙ୍କ ପରି କ୍ଷମତା ବୋଧହୁଏ ଅନ୍ୟ ଖେଳାଳିଙ୍କ ନିକଟରେ ନଥିବ। ତାଙ୍କର ଏହି କ୍ଷମତା ହିଁ ତାଙ୍କୁ ସ୍ଵତନ୍ତ୍ର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.