ଋଷଭ ପନ୍ତଙ୍କ ମୁସ୍କିଲ ବଢାଇଲେ ଦିନେଶ କାର୍ତ୍ତିକ, ବ୍ୟାଟିଂ ହାର ଏବଂ ଷ୍ଟ୍ରାଇକ୍ ରେଟ୍‌ରେ ଉଡ଼ାଇଲେ ନିଦ

Published By : Prameya-News7 Bureau | April 17, 2022 IST

ମୁମ୍ଵାଇ ୧୭।୦୪: ଆଇପିଏଲ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକଙ୍କ ବ୍ୟାଟ୍ ଖୁବ୍ ଗର୍ଜୁଛି। ଏ ପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ରୁ କାର୍ତ୍ତିକ ମାତ୍ର ଥରୁଟିଏ ଆଉଟ୍ ହୋଇଛନ୍ତି ଏବଂ ପାଖାପାଖି ୨୦୦ ରନ କରିଛନ୍ତି। ଆରସିବି ପକ୍ଷରୁ ସେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ବିଜୟୀ ଇନିଂସ ଖେଳୁଛନ୍ତି। ଏଥିରେ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କ ମୁସ୍କିଲ ବଢିବାରେ ଲାଗିଛି।

ଭାରତୀୟ ଦଳ ଆଇପିଏଲ ୨୦୨୨ ପରେ ଏସିଆ କପ୍ ଏବଂ ଟି-୨୦ ବିଶ୍ଵ କପ୍ ପରି ଟୁର୍ଣ୍ଣାମେଣ୍ଟ ଖେଳିବ। ଆଇପିଏଲ ସରିବା ପୂର୍ବରୁ ଯଦି ଋଷଭ ପନ୍ତ ନିଜର ଲୟ ଫେରି ନପାଆନ୍ତି ତେବେ ଭାରତୀୟ ଦଳରେ ଦିନେଶ କାର୍ତ୍ତିକଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ। ଏହା କହିବା ବର୍ତ୍ତମାନ ତରବରିଆ ହୋଇପାରେ, ମାତ୍ର ଏ ପର୍ଯ୍ୟନ୍ତ ଆଇପିଏଲର ୧୫ତମ ସିଜିନରେ ଦିନେଶ କାର୍ତ୍ତିକଙ୍କ ବ୍ୟାଟରୁ ଅଗ୍ନି ବର୍ଷା ହେଉଥିବା ବେଳେ ଅନ୍ୟପଟେ ପନ୍ତ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି।

ଆଇପିଏଲ ୨୦୨୨ର ୬ଟି ଇନିଂସରେ ଆରସିବି ପାଇଁ ଦିନେଶ କାର୍ତ୍ତିକ ନିମ୍ନ କ୍ରମରେ ବ୍ୟାଟିଂ କରି ୬ଟି ଇନିଂସରୁ ୧୯୭  ହାରରେ ୧୯୭ ରନ କରିଛନ୍ତି। ଷ୍ଟ୍ରାଇକ୍ ରେଟ୍ ୨୧୦ ରହିଥିବା ବେଳେ ବ୍ୟାଟରୁ ୧୮ ଚୌକା ଏବଂ  ୧୪ ଛକା ନିର୍ଗତ ହୋଇଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ତଥା ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ପନ୍ତ ୫ଟି ଇନିଂସରେ ୩୬  ହାରରେ ୧୪୪ ରନ କରି ପାରିଛନ୍ତି। ଷ୍ଟ୍ରାଇକ୍ ରେଟ୍ ୧୪୭ ରହିଛି। ଏ ପର୍ଯ୍ୟନ୍ତ ତାଙ୍କ ବ୍ୟାଟରୁ ବାହାରିଛି ୧୫ ଚୌକା ଏବଂ ୬ ଛକା।

୨୦୧୯ ବିଶ୍ଵ କପ୍ ସେମି ଫାଇନାଲ୍ ମ୍ୟାଚ୍ ପରେ ଦିନେଶ କାର୍ତ୍ତିକଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ଏମଏସ ଧୋନୀ ଅବସର ନେଇ ସାରିଛନ୍ତି। ତେଣୁ ଋଷଭ ପନ୍ତ ପ୍ରଥମ ପସନ୍ଦର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ରହି ଆସିଛନ୍ତି। ମାତ୍ର ଦିନେଶ କାର୍ତ୍ତିକ ଆଇପିଏଲ ୨୦୨୨ରେ ଏ ପର୍ଯ୍ୟନ୍ତ କରିଥିବା ପ୍ରଦର୍ଶନରେ ଋଷଭ ପନ୍ତଙ୍କ ନିଦ ଉଡାଇ ଦେଇଛି। ଯଦି ପନ୍ତ ଶୀଘ୍ର ବଡ ଇନିଂସ ନଖେଳନ୍ତି ତେବେ ତାଙ୍କ ଉପରେ ନିଶ୍ଚୟ ଚାପ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.