ନୂଆଦିଲ୍ଲୀ ୧୨।୫: ସାରା ଦେଶରେ ସୋମବାର ସନ୍ଧ୍ୟାରେ ଅଚାନକ ଏକ ଡିଜିଟାଲ ବ୍ରେକଡାଉନ ଭଳି ପରିସ୍ଥିତି ଉପୁଜିଥିଲା। ଲୋକେ କ୍ୟାସ୍ ଲେସ୍ ପେମେଣ୍ଟ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପେଟିଏମ, ଗୁଗଲପେ ଓ ଫୋନ ପେ ଭଳି ବଡ଼ବଡ଼ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଅଚାନକ ଡାଉନ ହୋଇଯାଇଥିଲା। ଫଳରେ ସାରା ଦେଶରେ ଅନଲାଇନ ଆର୍ଥିକ ନେଣଦେଣ ଅଟକି ଯାଇଥିଲା। ଏଣୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏ ନେଇ ଅଭିଯୋଗ ଆରମ୍ଭ ହୋଇଯାଇଥିଲା।
ଡାଉନଲୋଡ ଡିଟେକ୍ଟର ୱେବସାଇଟରେ ମଧ୍ୟ ଏ ନେଇ ରିପୋର୍ଟ ଅଚାନକ ବଢିଯାଇଥିଲା। ପେଟିଏମ ଖୋଲିବାମାତ୍ରେ ଲୋକଙ୍କୁ ସିଧା ଏରର ମ୍ୟାସେଜ୍ ମିଳୁଥିଲା। ତେବେ ଏହା କେବଳ ଗୋଟିଏ ପେମେଣ୍ଟ ଆପ ମଧ୍ୟରେ ସୀମିତ ନଥିଲା ବରଂ ପୁରା ୟୁପିଆଇ ସିଷ୍ଟମରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ତେବେ ଦେଖିବାର କଥା ହେଉଛି ଯେ ଗତ ଏକ ମାସରେ ଏହା ତୃତୀୟବାର ହୋଇଛି। ଭାରତରେ ୟୁପିଆଇ ଏକ ଏପରି ବ୍ୟବସ୍ଥା ଯାହା ଉପରେ କୋଟିକୋଟି ଲୋକ ନିର୍ଭର କରନ୍ତି। ଏଥିରେ ବାରମ୍ବାର ତ୍ରୁଟି ଦେଖାଯିବା ଲୋକଙ୍କୁ ସମସ୍ୟାରେ ପକାଇଛି।
ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୦୨୫ରେ ଭାରତ ୟୁପିଆଇ ଟ୍ରାଞ୍ଜାକ୍ସନରେ ରେକର୍ଡ ସୃଷ୍ଟି କରିଥିଲା। ଏହି ବ୍ୟବସ୍ଥାରେ ମୋଟ ୧୮.୩୦ ବିଲିୟନର ନେଣଦେଣ ହୋଇଥିଲା। ହେଲେ ଡିଜିଟାଲ ଇଣ୍ଡିଆ ଯେଉଁ ବେଗରେ ଆଗକୁ ବଢୁଛି ଏଥିରେ ଏପରି ବୈଷୟିକ ତ୍ରୁଟି ଓ ସାମୟିକ ସେବା ଠପ ହେବା ଜନ ଅସନ୍ତୋଷର କାରଣ ପାଲଟିଛି। ମାର୍ଚ୍ଚ ମାସରେ ୟୁପିଆଇ ଦୁନିଆରେ ଫୋନ ପେ ସବୁଠୁ ବଡ଼ ଖେଳାଳି ଭାବେ ଉଭା ହୋଇଥିଲା। ଏଥିରେ ମୋଟ ୮୬୪.୭ କୋଟି ଟ୍ରାଞ୍ଜାକ୍ସନ ହୋଇଥିଲା। ପୁରା ସିଷ୍ଟମର ଏହା ୪୭ ପ୍ରତିଶତ କାରବାର ହୋଇଥିବା ବେଳେ ଗୁଗଲ ପେ ୩୬%ରୁ ଅଧିକ ପେମେଣ୍ଟ ହ୍ୟାଣ୍ଡଲ କରିଥିଲା।