ଏବେ ବିମାନବନ୍ଦରରେ ପ୍ରବେଶ ହେବ ସହଜ, ଆରମ୍ଭ ହେଲା Digi Yatra ସେବା

Published By : Prameya-News7 Bureau | December 01, 2022 IST

ନୂଆଦିଲ୍ଲୀ: ଯେଉଁ ଯାତ୍ରୀମାନଙ୍କୁ ନିୟମିତ ବିମାନରେ ଯିବାଆସିବା କରିବାକୁ ପଡ଼ୁଛି ସେମାନଙ୍କ ପାଇଁ ଖୁସୀ ଖବର।  କାରଣ ଆଜି ଠାରୁ ଆରମ୍ଭ ହୋଇଛି ଡିଜି ଯାତ୍ରା(Digi Yatra)। ନା ନା ଏହା କୌଣସି ତୀର୍ଥ ଯାତ୍ରା ନୁହେଁ କି ଯାତ୍ରା ସମ୍ପର୍କିତ କୌଣସି ସରକାରୀ ଯୋଜନା ନୁହେଁ। ବରଂ ଏହା ଯାତ୍ରୀଙ୍କ ସୁବିଧା ପାଇଁ ହୋଇଥିବା ଏକ ନୂଆ ଅତ୍ୟାଧୁନିକ ବ୍ୟବସ୍ଥା।

ଏହି ସେବା ଲାଗୁ ହେବା ପରେ ଯାତ୍ରୀଙ୍କୁ ବିମାନ ବନ୍ଦରରେ ପ୍ରବେଶ ପାଇଁ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ। ଖୁବ୍‌ଶୀଘ୍ର ଡିଜିଟାଲ ଚିହ୍ନଟକରଣ ପ୍ରକ୍ରିୟା ମାଧ୍ୟମରେ ଯାତ୍ରୀଙ୍କୁ ବିମାନବନ୍ଦରରେ ପ୍ରବେଶ ମିଳିବ। ଦିଲ୍ଲୀ, ବେଙ୍ଗାଲୁରୁ ଓ ବାରଣସୀ ଏହି ସେବା ଲାଗୁ ହୋଇଛି। ଫଳରେ ଏହି ବିମାନବନ୍ଦର ଗୁଡ଼ିକରେ ଯାତ୍ରୀଙ୍କ ପ୍ରବେଶ ନିୟମ ବଦଳିଯାଇଛି।

ଚେହେରା ଚିହ୍ନଟ କରାଯାଇ ବିମାନବନ୍ଦରରେ ପ୍ରବେଶର ଏହି ପ୍ରକ୍ରିୟା(Digi Yatra) କୁ ଆଜି  ଦିଲ୍ଲୀ ବିମାନବନ୍ଦରରେ ଶୁଭାରମ୍ବ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଫଳରେ ଯାତ୍ରୀଙ୍କୁ ପ୍ରବେଶ ପାଇଁ ଆଉ ବୋର୍ଡିଂ ପାସ୍‌ର ଆବଶ୍ୟକତା ପଡ଼ିବ ନାହିଁ।

ଏବେ ଯାତ୍ରୀ ପେପର୍‌ ଲେସ୍ ହୋଇ ଏୟାରପୋର୍ଟରେ ପ୍ରବେଶ କରିବେ। କେବଳ ଚେହେରା ଚିହ୍ନଟକରଣ ପ୍ରକ୍ରିୟାରେ ବିମାନବନ୍ଦରରେ ପ୍ରବେଶ ମିଳିବ। ତେବେ ଏଥିପାଇଁ ଯାତ୍ରୀଙ୍କୁ ପ୍ରଥମେ Digi Yatraକୁ ନାଁ ପଞ୍ଜୀକରଣ କରିବାକୁ ପଡ଼ିବ। ତା ପରେ ଯାଇ ଗ୍ରାହକ ଏହି ସୁବିଧା ପାଇପାରିବେ।

ଡିଜିଯାତ୍ରା ଆପରେ ନାଁ ପଞ୍ଜୀକରଣ କରିବା ପାଇଁ ଆଧାରକାର୍ଡର ତଥ୍ୟ ଦିଆଯିବ। ତା ସହିତ ଯାତ୍ରୀଙ୍କୁ ନିଜ ଫଟୋ ବି ଉଠାଇବାକୁ ପଡ଼ିବ। ଏୟାରପୋର୍ଟ ଇ-ଗେଟରେ ଯାତ୍ରୀ କୋର୍ଡୱାଲା ବୋର୍ଡିଂ ପାସ୍ ସ୍କାନ କରିବାକୁ ପଡ଼ିବ। ଏହାପରେ ସେଠାରେ ଲାଗିଥିବା 'ଫେସିଆଲ ରିକଗ୍ନେଶନ'(ଚେହେରା ଚିହ୍ନଟ ପ୍ରକ୍ରିୟା)ରେ ଫଟୋ ଦେବା ପରେ ଏଣ୍ଟ୍ରି ପ୍ରକ୍ରିୟା ଶେଷ ହେବ।  

ଓଟିପି ବେସ୍ଡ ଅଥେଣ୍ଟିକେସନ
Digi Yatra ଆପ୍‌ରେ ମଗାଯାଇଥିବା ତଥ୍ୟ ଦେବା ପରେ ଆଧାର ମାଧ୍ୟମରେ କେବଳ ଥରେ ମାତ୍ର ଏହାର ପ୍ରାମାଣିକତା (Authentication) ଯାଞ୍ଚ ହେବ। ଏହା ଓଟିବି ବେସ୍ଡ ଅଥେଣ୍ଟିକେସନ ହେବ। ଏହାପର ଠାରୁ ଆପଣ ଯେତେଥର ବି ଯାତ୍ରା କରିବେ ଆପଣଙ୍କୁ ୱେବ ଚେକ୍‌ ଇନ୍ ପରେ ନିଜ ଟିକେ୍ ଆପ୍‌ରେ ଅପ୍‌ଲୋଡ କରିବାକୁ ପଡ଼ିବ। ବିମାନବନ୍ଦରରେ ପହଞ୍ଚିବା ପରେ ଟିକେଟକୁ ସ୍କାନର ଉପରେ ରଖିବାକୁ ପଡ଼ିବ ଓ ଚେହେରା ସ୍କାନ୍ କରିବାକୁ ପଡିବ। ଏହାପରେ ଆପଣଙ୍କୁ ଏଣ୍ଟ୍ରି ମିଳିବ।

DigiYatraର ଉଦ୍ଦେଶ୍ୟ
ବିମାନବନ୍ଦରରେ ପ୍ରବେଶ ପ୍ରକ୍ରିୟା
ରେ ଅଗ୍ରଗତି ଆଣିବା ଏହି ସେବାର ମୁଖ୍ୟ ଲକ୍ଷ୍ୟ। ଯଦିଓ ବର୍ତ୍ତମାନ ଏହି ସେବା ମାତ୍ର ୩ ବିମାନବନ୍ଦରରେ ଉପଲବ୍ଧ ହୋଇଛି। ତେବେ ସବୁ ବିମାନବନ୍ଦରରେ ଲାଗୁ ହେଲେ ଲମ୍ବା ଲାଇନ୍‌ରୁ ମୁକ୍ତି ମିଳିଯିବ। ଏହା ବାଦ୍ ଡକ୍ୟୁମେଣ୍ଟ ଓ ହାର୍ଡକପି ନେବାର କିଛି ଆବଶ୍ୟକତା ମଧ୍ୟ ପଡ଼ିବ ନାହିଁ। ଏବେ ଆପଣ ଖୁବ୍ ସହଜରେ ଡିଜିଟାଲ୍ ଏଣ୍ଟ୍ରି କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.