ସରକାରୀ ଜମି ବିବାଦକୁ ନେଇ ଗୋଷ୍ଠୀ ସଙ୍ଘର୍ଷ ମାମଲା, ଉଭୟ ପକ୍ଷରୁ ୧୨ ଗିରଫ

Published By : Prameya-News7 Bureau | August 22, 2020 IST

ଦିଗପହଣ୍ଡି, ୨୨|୦୮:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ କଲେଜ ପଡିଆଠାରେ ସରକାରୀ ଜମି ବିବାଦକୁ ନେଇ ଦୁଇଗୋଷ୍ଠୀ ସଂଘର୍ଷ ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନାନୁସାରେ, ଭୀଷ୍ମଗିରି ପଞ୍ଚାୟତ ଅଧିନରେ ଥିବା ନନ୍ଦକିଶୋର ଗୋଶାଳା ଅନୁଷ୍ଠାନର ଜମିରେ ଗ୍ରାମ୍ୟ କମିଟିର ସହମତିରେ ପାର୍କ ଓ ଗୋଷ୍ଠୀ ପାଇଖାନା ନିର୍ମାଣ ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରିଥିଲା । ତେବେ ସେହି ଜମିରେ ବେଆଇନ ଭାବେ ଗତ କିଛିବର୍ଷ ହେଲା ଏକ ଘରୋଇ ଶିକ୍ଷାନୁଷ୍ଠାନ ଚାଲିଛି । ଜମିରେ ସରକାରୀ ପ୍ରକଳ୍ପ ନିର୍ମାଣକୁ ବିରୋଧକରି ଉକ୍ତ ଜମିକୁ ନିଜ ଅକ୍ତିଆରକୁ ନେବାପାଇଁ ଗୋଟିଏ ଗୋଷ୍ଠୀର ଲୋକେ ଉଦ୍ୟମ ଚଳାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଜମି ନିକଟରୁ ବହୁ ଦୂରରେ ଥିବା ମାଁ ଦୁଆରଶୁଣି ମନ୍ଦିର ପାଇଁ ବଳପୂର୍ବକ ଉକ୍ତ ଜମିକୁ ଜବରଦଖଲପାଇଁ ବୁଧବାର ରାତିରେ ଅନ୍ୟ ଗୋଷ୍ଠୀର କିଛି ବ୍ୟକ୍ତି ବାଉଁଶ ଘେରା କରିଥିଲେ । ଏହି ଖବରପାଇ ଅନ୍ୟ  ଗୋଷ୍ଠୀର ଲୋକେ ଜମି ନିକଟକୁ ଯାଉଥିବା ବେଳେ ଅପର ଗୋଷ୍ଠୀର ବହୁ ସଂଖ୍ୟକ ମହିଳା ଓ ପୁରୁଷ ବିଭିନ୍ନ ମାରଣାସ୍ତ୍ର ଧରି ସେମାନଙ୍କୁ ରାସ୍ତାରେ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ ।

ଯାହାଫଳରେ ଉଭୟ ଗୋଷ୍ଠୀ ପକ୍ଷରୁ ୧୫ ରୁ ୧୮ ଜଣ ବ୍ୟକ୍ତି ଆହତ ହୋଇଥିଲେ । ଘଟଣାପରେ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିଲା । ଦିଗପହଣ୍ଡି ଥାନା ଅଧିକାରୀଙ୍କ ନେତୃତ୍ୱରେ ଗ୍ରାମରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଥିଲା । ଘଟଣାପରେ ବ୍ରହ୍ମପୁର ଅତିରିକ୍ତ ଏସ ପି ପ୍ରଶାନ୍ତ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଅପରାହ୍ନରେ ଚିକିଟି ଏସଡିପିଓ ଦିଗପହଣ୍ଡି ତହସିଲଦାର, ଅତିରିକ୍ତ ତହସିଲଦାର , ରାଜସ୍ୱ ନିରୀକ୍ଷକ ଗ୍ରାମରେ ପହଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରି ଫେରିଥିଲେ ।

ପୋଲିସ ପକ୍ଷରୁ ଉଭୟ ଗୋଷ୍ଠୀର ମୁଖିଆ ମାନଙ୍କୁ ଥାନାକୁ ଡକାଯାଇ ମାମଲାର ଆପୋଷ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ପାଇଁ ପ୍ରୟାସ ଜାରି ରଖିଥିଲା । ତେବେ ଶୁକ୍ରବାର ଦିଗପହଣ୍ଡି ପୋଲିସ ଉଭୟ ଗୋଷ୍ଠୀର ୧୨ ଜଣକୁ ଗିରଫ କରି ପୃଥକ ଥାନା ମାମଲା ନଂ ୧୭୮/୨୦ ଓ ୧୭୯/୨୦ ଅନୁସାରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଘଟଣାକ୍ରମେ ଦିଗପହଣ୍ଡି ପୋଲିସ ଥାନାରେ ଶନିବାର ସୁଦ୍ଧା ଦୁଇ ଗୋଷ୍ଠୀ ମଧ୍ୟରେ ମାମଲା ସମାଧାନ ହୋଇଥିଲେ ମଧ୍ୟ ଗ୍ରାମରେ ଆଶିଂକ ଉତ୍ତେଜନା ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା ଗ୍ରାମରେ ଏକ ପୋଲିସ ପ୍ଳାଟୁନ ମୃତୟନ ରହିଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.