ବିବାହ ସ୍ବର୍ଗରେ ହୁଏ… ବିଧାତାଙ୍କ ସୃଷ୍ଟିରେ ଯାହାକୁ ଯିଏ

Published By : Prameya-News7 Bureau | December 15, 2020 IST

ସୋର ୧୫।୧୨: ପ୍ରଥମେ ଆଖିରେ ଠରାଠରି ତାପରେ ମୋବାଇଲ ନମ୍ବର ଦିଆନିଆ । ସେଇଠୁ ଆରମ୍ଭ ହେଲା ମେସେଜରେ ଚାଟିଂ । ଏହାପରେ ଉଭୟଙ୍କ ମଧ୍ୟରେ ଗଢିଉଠିଲା ପ୍ରେମ ସଂପର୍କ । ଶେଷରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେଲେ । ଗ୍ରାମବାସୀ ଓ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ ଦିବ୍ୟାଙ୍ଗ ଯୁବକ-ଯୁବତୀଙ୍କ ବିବାହ ସମ୍ପନ୍ନ ହୋଇଛି । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ।

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଅସିମିଳା ଗ୍ରାମର ସ୍ବର୍ଗତ ତ୍ରୈଲୋକ ମଲିକ ଏବଂ ମୀନତି ମଲିକଙ୍କ ଜ୍ୟେଷ୍ଠ ପୁତ୍ର ପତିତପାବନ ଜନ୍ମରୁ ମୁକବଧିର । ସେ ଭୁବନେଶ୍ବରରେ ଏକ ମୁକବଧିର ବିଦ୍ୟାଳୟରେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠପଢିବା ପରେ ରାଜ୍ୟ ବାହାରେ ରହି ପଥର କାମ କରିବା ସାଙ୍ଗକୁ ଲୁହା ଓ୍ବେଲ୍ଡିଂ କାମ ମଧ୍ୟ କରୁଥିଲେ । ଏହାରି ଭିତରେ ଭୁବନେଶ୍ବରରେ ରହୁଥିବା ସୋର ଥାନା ମାଖନପୁର ଅଞ୍ଚଳର ଦୈତାରି ନାୟକଙ୍କ ଝିଅ ସସ୍ମିତାଙ୍କ ସହ ତାଙ୍କର ଦେଖା ହୋଇଥିଲା । ପ୍ରଥମେ ଆଖିରେ ଉଭୟ ଦିବ୍ୟାଙ୍ଗ ଠରାଠରି ପରେ ମୋବାଇଲ ନମ୍ବର ଦିଆନିଆ ହୋଇଥିଲେ । ତାପରେ ମେସେଜରେ ଚାଟିଂ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ପରିବାର ଦୁଇ ଜଣଙ୍କ ଭଲ ପାଇବା ବିଷୟରେ ଜାଣିବାକୁ ପାଇଥିଲେ । ଶେଷରେ ଦୁଇ ଦିବ୍ୟାଙ୍ଗଙ୍କ ବାହାଘର ଉଭୟ ପରିବାର, ଗ୍ରାମବାସୀ ଓ କିଛି ସ୍ଵେଚ୍ଛାସେବୀଙ୍କ ସହାୟତାରେ ଗତ ସୋମବାର ସୋର ସ୍ଥିତ କୁଶଳେଶ୍ବର ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ।

ବିବାହ ପରେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା । ଏହି ବିବାହରେ ପରିବାର, ଗ୍ରାମବାସୀ ଏବଂ ସ୍ବେଚ୍ଛାସେବୀମାନେ ଯୋଗଦେଇ ବରକନ୍ୟାଙ୍କୁ ଆଶିର୍ବାଦ କରିଥିଲେ । ଏହି ବିବାହରେ ଦୁଇ ଦିବ୍ୟାଙ୍ଗଙ୍କ ଅନ୍ୟ ଦିବ୍ୟାଙ୍ଗ ସାଙ୍ଗସାଥୀ ମଧ୍ୟ ଯୋଗଦେବା ସହ ବରକନ୍ୟାଙ୍କୁ ଆଶିର୍ବାଦ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.