ମାଆଙ୍କ ଶେଷ ଦର୍ଶନ ବି କରିବାକୁ ଦେଲେନି, ଏମର୍ଜେନ୍ସି ସମୟକୁ ମନେ ପକାଇ ଭାବୁକ ହେଲେ ରାଜନାଥ

Published By : Prameya-News7 Bureau | April 12, 2024 IST

ନୂଆଦିଲ୍ଲୀ: ବିରୋଧୀ ଦଳ ନେତାଙ୍କୁ ଜେଲ ପଠାଯିବା ନେଇ ମୋଦୀ ସରକାର ଉପରେ ଏକଛତ୍ରବାଦର ଅଭିଯୋଗ ଆଣିଥିବା ଲୋକଙ୍କ ରାଜନାଥ ସିଂ କଡ଼ା ଜବାବ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଏମର୍ଜେନ୍ସି ଜରିଆରେ ଦେଶ ଉପରେ ଏକଛତ୍ରବାଦ ଲଦିଥିବା ଲୋକ ଆମ ଉପରେ ଅଭିଯୋଗ କରୁଛନ୍ତି । ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ସେ ନିଜ ମାଆଙ୍କ ବିୟୋଗ କଥାକୁ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ସେତେବେଳେ ମୁଁ ଜେଲରେ ଥିଲି ଏବଂ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ପେରୋଲ ମିଳି ନଥିଲା । ପୂରା କାହାଣୀକୁ ବର୍ଣ୍ଣନା କରି ରକ୍ଷା ମନ୍ତ୍ରୀ ଭାବୁକ ମଧ୍ୟ ହୋଇଥିଲେ । ସେ କହିଛନ୍ତି ଯେ ମୁଁ ମୋର ମାଆଙ୍କ ଶେଷ ଦର୍ଶନ ମଧ୍ୟ କରିପାରିଲି ନାହିଁ । 

ରାଜନାଥ ସିଂ କହିଛନ୍ତି, 'ମୁଁ ଏମର୍ଜେନ୍ସିରେ ଜେଲରେ ବନ୍ଦୀ ଥିଲି । ମୋର ମାଆଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା। ଏବଂ ତାଙ୍କୁ ବାରଣାସୀର ମାତା ଅମୃତାନନ୍ଦମୟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୋ ମାଆ ୨୭ ଦିନ ଯାଏ ହସ୍ପିଟାଲରେ ଭର୍ତ୍ତି ଥିଲେ । ପରେ ବ୍ରେନ୍ ହେମରେଜରୁ ତାଙ୍କର ପରଲୋକ ଘଟିଲା । ମୋତେ ମୋ ମାଆଙ୍କ ଶେଷ ଦର୍ଶନ ପାଇଁ ମଧ୍ୟ ପେରୋଲ ଦିଆଗଲା ନାହିଁ ।'

ସେହିପରି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଜେପିର ନିର୍ଭରତାକୁ ନେଇ ପ୍ରଶ୍ନ କରାଯାଇଥିଲା । ଯାହା ଉପରେ ରାଜନାଥ ସିଂ କହିଥିଲେ ଯେ ନରେନ୍ଦ୍ର ମୋଦୀ ତୃତୀୟ ଥର ହିଁ ନୁହେଁ ବରଂ ଚତୁର୍ଥ ଥର ମଧ୍ୟ ପ୍ରଧାନମନ୍ତ୍ରୀ ହେବେ । ଯେପର୍ଯ୍ୟନ୍ତ ସୁସ୍ଥ ଏବଂ ସକ୍ଷମ ହେବେ, ସେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇ ରହିବେ । ଏହି ସମୟରେ ସେ ପାକିସ୍ତାନକୁ ନେଇ ମଧ୍ୟ ନିଶାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.